ଭାର୍ଗବୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ: ୧୫ବର୍ଷ ହେଲା ସରୁନି କାମ

137

କନକ ବ୍ୟୁରୋ: ପୁରୀ ସଦର ବ୍ଲକ ମାଳି ସାହିରେ ୨୦୦୮ରୁ ଭାର୍ଗବୀ ନଦୀ ଉପରେ ଚାଲିଛି ସେତୁ ନିର୍ମାଣ । ୨୦୦୮ ମସିହାରେ ପୁରୀ ବିଧାୟକ ସ୍ୱର୍ଗତ ମେହେଶ୍ୱର ମହାନ୍ତି ଏହି ସେତୁକୁ ଉଦଘାଟନ କରିଥିଲେ । ଏହା ଭିତରେ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପୁରୀ ସଦର ବ୍ଲକ ମାଳି ସାହି ଭାର୍ଗବୀ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣକୁ ଦେଖନ୍ତୁ । ୧୫ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି, ଅଧାରେ ଅଟକିଛି କାର୍ଯ୍ୟ । ଯାହାଫଳରେ ପ୍ରାୟ ୬ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକ ବାଧ୍ୟ ହୋଇ ୬କିଲୋମିଟର ଦୂର ବୁଲାବାଟ ଦେଇ ମୁଖ୍ୟ ସଡକକୁ ଯାଉଛନ୍ତି । ନଦୀ ଆରପଟେ ଥିବା ଜମିକୁ ଯିବା ମୁସ୍କିଲ ହୋଇ ପଡୁଛି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ ପୋଲ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୩ରୁ ୪ଜଣ ଠିକାଦାର ବଦଳିଲେଣି । କିନ୍ତୁ ଜଣଙ୍କ ପରେ ଜଣେ ଠିକାଦାର ସେତୁ ନିର୍ମାଣରେ ବିଫଳ ହେଉଛନ୍ତି । ଏପଟେ ସେତୁ ନିର୍ମାଣରେ ବ୍ୟବହାର ହୋଇଥିବା ଲୁହା ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀରେ କଳଙ୍କି ଲାଗିଲାଣି । କିଛି ସାମଗ୍ରୀ ବାଲିରେ ପୋତି ହୋଇପଡିଲାଣି । ହେଲେ ସରୁନି ପୋଲ ନିର୍ମାଣ କାର୍ଯ୍ୟ । ତେବେ ଏହି ବିଳମ୍ବ ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଅଂଚଳବାସୀ ।