ଗତ ୭ ବର୍ଷରେ ହେଲାଣି ୭୦ଥର ପେପର ଲିକ୍ । ନିଟକୁ କମର୍ସିଆଲ୍ ପରୀକ୍ଷା କରିଦେଲେଣି । ସଂସଦରେ ଏମିତି କଥା କହି ବର୍ଷିଲେ ରାହୁଲ ଗାନ୍ଧୀ…

64

କନକ ବ୍ୟୁରୋ: ବିରୋଧୀ ଦଳ ନେତା ଭାବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ପ୍ରଥମ ଥର ପାଇଁ ସଂସଦରେ ଭାଷଣ ରଖିଥିଲେ । ଆଉ ନିଜର ପ୍ରଥମ ଅଭିଭାଷଣରେ ରାହୁଲ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଖାସ୍ କରି ସମ୍ବିଧାନ, ଦରବୃଦ୍ଧି ଏବଂ ଅଗ୍ନିବୀର ଭଳି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିବା ସହିତ ନିଟ୍ ପରୀକ୍ଷା ପେପର୍ ଲିକ୍ ପ୍ରସଙ୍ଗକୁ ମଧ୍ୟ ସଂସଦରେ ଉଠାଇଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ଏ ସରକାର ନିଟ୍ ପରୀକ୍ଷାକୁ ବ୍ୟବସାୟିକ ପରୀକ୍ଷାରେ ବଦଳାଇ ଦେଲାଣି । ଗତ ୭ ବର୍ଷରେ ଦେଶରେ ୭୦ ଥର ପରୀକ୍ଷା ପେପର୍ ଲିକ୍ ହେଲାଣି ବୋଲି ରାହୁଲ କହିଛନ୍ତି ।

“ଆପଣ ପ୍ରତିଟି ଲୋକଙ୍କୁ ପାଇଁ ଭୟର ପ୍ୟାକେଜ୍ ଦେଇଛନ୍ତି । ଆପଣ ରୋଜଗାରର ଅନ୍ତ କରିଦେଇଛନ୍ତି । ଏବେ ନୂଆ ଫ୍ୟାସନ୍ ବାହାରିଛି ନିଟ୍ । ଗୋଟିଏ ପ୍ରଫେସନାଲ ସ୍କିମକୁ ଆପଣ କମର୍ସିଆଲ୍ ସ୍କିମରେ ବଦଳାଇସାରିଲେଣି । ନିଟ୍ ପରୀକ୍ଷାକୁ ଏବେ ଧନୀ ପିଲାଙ୍କ ପରୀକ୍ଷା କରିଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ନିଟ୍ ପରୀକ୍ଷା ଉପରେ ଏବେ କୌଣସି ପ୍ରକାର ବିଶ୍ୱାସ ନାହିଁ”, ବୋଲି ସଂସଦରେ ସରକାରକୁ ଟାର୍ଗେଟ କରି କହିଛନ୍ତି ରାହୁଲ ଗାନ୍ଧୀ ।

ମୋଦୀ ସରକାରରୁ ସିଧା ସିଧା ତୀର ମାରିବା ସହିତ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଦିନରେ ପ୍ରଫେସନାଲ ପାଠପାଢାର ଦର ମହଙ୍ଗା ହେଇଗଲାଣି । ଗରିବ ଘରର ପିଲାମାନେ ପାଠ ମଧ୍ୟ ପଢିପାରୁନାହାଁନ୍ତି । ରୋଜଗାର ମଧ୍ୟ ଶେଷ ହେଇସାରିଲାଣି ।

ଅନ୍ୟପଟେ ଲୋକସଭାରେ ଅଗ୍ନିବୀର ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ଢଙ୍ଗ ଆପଣାଇଛନ୍ତି । ସେ କହିଛନ୍ତି, କୌଣସି ଅପରେସନ ବେଳେ ଅଗ୍ନିବୀରଙ୍କ ଜୀବନହାନୀ ହେଲେ ତାଙ୍କୁ ସହିଦ ମାନ୍ୟତା ମିଳୁନାହିଁ । ଚୀନରେ ଯବାନମାନଙ୍କୁ ୫ ବର୍ଷ ଯାଏଁ ତାଲିମ ଦିଆଯାଉଛି । ହେଲେ ଆମ ଦେଶରେ ଅଗ୍ନିବୀର କେବଳ ୬ ମାସର ଟ୍ରେନିଂ ନେଇ ସେମାନଙ୍କ ସହ କିଭଳି ଯୁଦ୍ଧ ଲଢ଼ିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭୁଲ ତଥ୍ୟ ଦେଇ ରାହୁଲ ଗାନ୍ଧୀ ସଂସଦକୁ ଭ୍ରମିତ କରୁଥିବା ସେ କହିଛନ୍ତି । ଯୁଦ୍ଧ ସମୟରେ କୌଣସି ଅଗ୍ନିବୀର ସହିଦ ହେଲେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ବ୍ୟବସ୍ଥା ଥିବା କହିଛନ୍ତି ରାଜନାଥ ।