ସସପେଣ୍ଡ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ: କହିଲେ, ମୋ ରକ୍ତରେ ବେଇମାନ କରିବାର ନାହିଁ

230

କନକ ବ୍ୟୁରୋ: କଂଗ୍ରେସ ଦଳରୁ ସସପେଣ୍ଡ ହେବା ପରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଆସି ପ୍ରେସମିଟ କରି ସେ କହିଛନ୍ତି, ମୁଁ କଂଗ୍ରେସ ପରିବାରର ଲୋକ । ମୋ ଜେଜେ ମୋତେ କଂଗ୍ରେସ ସମ୍ପର୍କରେ କହୁଥିଲେ । ଆମେ କଂଗ୍ରେସର ଥାର୍ଡ ଜେନେରସନ । ମୋ ରକ୍ତରେ ବେଇମାନ କରିବାର ନାହିଁ । କଂଗ୍ରେସକୁ ସୁଦୃଢ କରିବାକୁ କାମ କରୁଥିଲୁ ।

ମେ ୮ ତାରିଖରେ କଂଗ୍ରେସକୁ ସୁଦୃଢ କରିବାକୁ କହିଥିଲି । ସେହି ସଭାରେ ଦଳକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲି । ମୋ ବକ୍ତବ୍ୟକୁ ଭୁଲ ଭାବେ ଚିତ୍ରଣ କରାଯାଇଛି । ଯଦି ଝାରସୁଗୁଡାରେ ୪ ହଜାର ଭୋଟ ମିଳିଲା, ଧାମନଗରରେ କଣ ହେଲା? ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ହାର କମିଛି । କଂଗ୍ରେସ ଦଳରେ ମତାମତ ଗ୍ରହଣ କରିବାର ଧୈର୍ଯ୍ୟ ନାହିଁ । ସସପେଣ୍ଡ ପରେ ବି ମୁଁ ଦଳରେ ଅଛି ।

କିଛି କୁଚକ୍ରୀଙ୍କ ପାଇଁ ମୋ ଦଳରୁ ସସପେଣ୍ଡ କରାଯାଇଛି । ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଏକାଠି ହେବାକୁ ପଡିବ । ନହେଲେ ଏପରି ଚକ୍ରାନ୍ତ ଆଗକୁ ଜାରି ରହିବ । ମୁଁ ଜଣେ ସ୍ୱାଭିମାନୀ ଲୋକ । କର୍ଯ୍ୟାନୁଷ୍ଠାନକୁ ଡରୁନି, ହେଲେ ସ୍ୱାଭିମାନକୁ ଆଘାତ ପହଞ୍ଚିଛି । ଗଣମାଧ୍ୟମ ପ୍ରତିନିଧି ମୋ ମତ ଚାହୁଁଥିଲେ । କିନ୍ତୁ ମୁଁ ଓଡିଶାରେ ନଥିଲି ।

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଥିଲା । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗ ରହିଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା ।