ଠିକ୍ ସମୟରେ ଅଫିସ ନ ଆସିଲେ ଖରାପ ହେବ ସିସିଆର୍ : ଦିନ ୧୦ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ ନିର୍ଦ୍ଦେଶ

କର୍ମଚାରୀ ଠିକ୍ ସମୟରେ ଆସୁଛନ୍ତି ବୋଲି ନିଶ୍ଚିତ କରିବେ ଡିଭିଜନ ମୁଖ୍ୟ

822

କନକ ବ୍ୟୁରୋ : ଏବେ ପ୍ରାୟ ସମସ୍ତ ସରକାରୀ ଅଫିସରେ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍‌ ଆସୁନଥିବା ଦେଖିବାକୁ ମିଳୁଛି । ପୂର୍ବାହ୍ନ ୧୦ଟାରେ ଅଫିସ୍‌ରେ ପହଞ୍ଚିବାର ନିୟମ ଥିଲେ ‌ବି ଅଧିକାଂଶ କର୍ମଚାରୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆସୁନାହାନ୍ତି । ସଚିବାଳୟରୁ ଆରମ୍ଭ କରି ବ୍ଲକସ୍ତର ପର୍ଯ୍ୟନ୍ତ ସବୁଠି ଏହି ସମସ୍ୟା ଦେଖାଯାଉଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ସମସ୍ତ କର୍ମଚାରୀଙ୍କୁ ପୂର୍ବାହ୍ନ ୧୦ଟା ୩୦ସୁଦ୍ଧା ଅଫିସ ପହଞ୍ଚିବାକୁ କୁହାଯାଇଛି । ପୂର୍ତ୍ତ ବିଭାଗର ଡିଭିଜନ୍ ସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସୁ ନଥିବାରୁ ଅଫିସ୍‌ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ଭିତରେ ଅଫିସରେ ପହଞ୍ଚିବାକୁ କୁହାଯାଇଛି । ଏନେଇ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦିଲ୍ଲୀପ କୁମାର ରାୟ ସମସ୍ତ ଡିଭିଜନ ମୁଖ୍ୟଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ କୁହାଯାଇଛି ଯେ, ଡିଭିଜନ୍ ମୁଖ୍ୟମାନେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଆସିଛନ୍ତି ବୋଲି ନିଶ୍ଚିତ କରିବେ। ଯଦି କୌଣସି କର୍ମଚାରୀ ପୂର୍ବାହ୍ନ ୧୦ଟା ୩୦ସୁଦ୍ଧା ଅଫିସରେ ପହଞ୍ଚିବେନି ତେବେ ତାଙ୍କ ସିସିଆର୍‌ରେ କାର୍ଯ୍ୟ କ୍ଷେତ୍ରରେ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବରେ ପହଞ୍ଚୁଥିବା ଦର୍ଶାଯିବ। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ପାଇଁ ଯାଉଥିବାରୁ ସେମାନେ ଅଧିକାଂଶ ସମୟରେ ବିଳମ୍ବରେ ଅଫିସ ଆସନ୍ତି ।

ହେଲେ ଡିଏଓ, କିରାଣୀ, ପିଅନ ଏବଂ ଅନ୍ୟ କର୍ମଚାରୀମାନେ ବିଳମ୍ବରେ ଅଫିସ‌ ଆସିବାର କୌଣସି କାରଣ ନାହିଁ । ତେଣୁ ସେମାନେ ଠିକ୍ ସମୟରେ ଅଫିସ୍ ଆସିବାକୁ ବାଧ୍ୟ। ଏହା ବାଦ୍ ଯେଉଁ ‌ଯନ୍ତ୍ରୀଙ୍କର କ୍ଷେତ୍ର ପରିଦର୍ଶନ ରହୁନି ବା ଯେଉଁଦିନ ସେମାନେ କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି ସେହିଦିନ ସେମାନଙ୍କୁ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଅଫିସରେ ପହଞ୍ଚିବାକୁ ହେବ । ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ।