ତାଇୱାନ ବିରୋଧରେ ଯୁଦ୍ଧ ପ୍ରସ୍ତୁତି : ୬ଟି ବିଶାଳ ଯୁଦ୍ଧପୋତ ସହ ଶତାଧିକ ଯୁଦ୍ଧ ବିମାନ ମୁତୟନ କଲା ଚୀନ

195

କନକ ବ୍ୟୁରୋ : ଗୁଇନ୍ଦା ଜାହାଜକୁ ନେଇ ଶ୍ରୀଲଙ୍କା-ଚୀନ ମଧ୍ୟରେ କୂଟନୀତି ସରଗରମ୍ । ଜରୁରୀ ବୈଠକ ପାଇଁ ଦାବି କଲା ଚୀନ ଦୂତାବାସ । ସେପଟେ ତାଇୱାନ ବିରୋଧରେ ଯୁଦ୍ଧ ପ୍ରସ୍ତୁତି । ୬ଟି ବିଶାଳ ଯୁଦ୍ଧପୋତ ସହ ଶତାଧିକ ଯୁଦ୍ଧ ବିମାନ ଚୀନମୁତୟନ କରିଛି । ଗତକାଲି ସୁଦ୍ଧା ମାତ୍ର ୩୦ ବିମାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିବା ବେଳେ ଏହି ସଂଖ୍ୟା ଅଚାନକ ଶହେ ଟପି ଯାଇଛି । ଏଭଳି ସ୍ଥିତିରେ ଚୀନ୍‌ ଯେ କୌଣସି ସମୟରେ ତାଇୱାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେବା ସମ୍ଭାବନା ବଳବତ୍ତର ହୋଇଛି ।

ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନ୍‌କୁ ତୁରନ୍ତ ସାମରିକ ଅଭ୍ୟାସ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି କର୍ଣ୍ଣପାତ କରିନାହିଁ ଏବଂ ଦୁଇ ଦିନ ତଳେ ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌କୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ କରିଛି । ଶତାଧିକ ଯୁଦ୍ଧ ବିମାନ ପଠାଇ ଚୀନ୍‌ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଏଥିରେ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ସାମିଲ ରହିଛି । ଚୀନ୍‌ର ଏଭଳି ପଦକ୍ଷେପ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିବା ବେଳେ ତାଇୱାନ ନିଜର ସୁରକ୍ଷା ପାଇଁ ଯଥାସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି । ତାଇୱାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍‌ କ୍ଷେପଣାସ୍ତ୍ରର ଜବାବ ଦେବାକୁ ହାଇଆଲର୍ଟରେ ରହିଛି ।

ଚୀନ୍‌-ତାଇୱାନ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆମେରିକା ପ୍ରଶାସନ ତାଇୱାନ ପ୍ରତି ପୂର୍ଣ୍ଣ ସମର୍ଥନ ଜାରି ରଖିଛି ଏବଂ ତାଇୱାନକୁ ଯଥା ସମ୍ଭବ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି । ତେବେ ତାଇୱାନ ତଟରୁ ମାତ୍ର ୨୦ କିଲୋମିଟର ଦୂରରେ ଚୀନ୍‌ ସେନା ବାରୁଦ ବର୍ଷା କରୁଥିଲେ ମଧ୍ୟ ଏଭଳି ସଙ୍କଟର ସମାଧାନ ପାଇଁ ଆମେରିକା କୌଣସି ଫଳପ୍ରଦ ଯୋଜନା କରିପାରୁ ନାହିଁ ।