ଜଙ୍ଗଲ ଭିତରେ ପୁଳାପୁଳା ୨ ହଜାର ଟଙ୍କିଆ ନୋଟ୍ : ମାଓ ସମର୍ଥକ ଟ୍ରାକ୍ଟର କିଣିବା ବେଳେ ଧରାପଡିଲା ୫ବିଡା ନୋଟ୍

781

କନକ ବ୍ୟୁରୋ : ମାଓବାଦୀଙ୍କ ପାଖରେ ଅଛି ପୁଳା ପୁଳା ୨ହଜାର ଟଙ୍କିଆ ନୋଟ୍ । ଟଙ୍କା ନେଇ ମାଓବାଦୀଙ୍କ ପାଇଁ ଟ୍ରାକ୍ଟର କିଣିବାକୁ ଯାଉଥିବା ବେଳେ ଗିରଫ ହୋଇଛନ୍ତି ମାଓ ସମର୍ଥକ । ଏହାସହ ୫ ବିଡା ୨ ହଜାର ଟଙ୍କିଆ ନୋଟ୍ ଜବତ ହୋଇଛି । ୫ ବିଡାରେ ୧୦ ଲକ୍ଷ ଟଙ୍କାରେ ରହିଥିଲା । ପୁଣି ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍ ପୁଲିସ ହାତରେ ଧରି ପଡିଛି ।

ପୂର୍ବରୁ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଉଦ୍ୟମ କରୁଥିବା ବେଳେ ମାଓବାଦୀଙ୍କ ଟଙ୍କା ସାମ୍ନାକୁ ଆସିଥିଲା । ଏବେ ପୁଣି ପଡୋଶୀ ରାଜ୍ୟ ଛତିଶଗଡ ଜିଲ୍ଲା ବିଜାପୁରରୁ ଏମିତି ଏକ ଖବର ଆସିଛି । ଗଙ୍ଗାଲୁର ଏରିଆ କମିଟିର ମାଓବାଦୀମାନେ ୨ ହଜାର ଟଙ୍କା ନୋଟକୁ ଖର୍ଚ୍ଚ କରିବା ଉଦେଶ୍ୟରେ ଟ୍ରାକ୍ଟର କିଣିବାକୁ ନିଷ୍ପତ୍ତି ନେଇଥିଲେ । ୨୩ ବର୍ଷିୟ ମାଓ ସମର୍ଥକ ଦିନେଶ ତାତିଙ୍କ ସହଯୋଗରେ ଟ୍ରାକ୍ଟର କିଣିବା ପାଇଁ ଯୋଜନା କରିଥିଲେ ।

ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଟ୍ରାକ୍ଟର ସୋ-ରୁମରେ ଚଢାଉ କରି ମାଓ ସମର୍ଥକ ଦିନେଶ ତାତିଙ୍କୁ ଗିରଫ କରିବା ସହ ୧୦ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ ଜବତ କରିଛି । ମାଓନେତା ମୁନ୍ନା ହେମଲା ୬ ଲକ୍ଷ ଟଙ୍କା ଦେଇଥିବା ବେଳେ ଗାଙ୍ଗାଲୁର ଏରିଆ କମିଟିର ଏସିଏମ୍ ଶାନ୍ତି ୨ ଲକ୍ଷ ଟଙ୍କା ଦେଇଛନ୍ତି । ସେହିଭଳି ଗାଙ୍ଗାଲୁର ଏରିଆ କମିଟିର ମିଲିଟାରୀ କମାଣ୍ଡର ମୁଖ୍ୟ ୨ ଲକ୍ଷ ଟଙ୍କା ଦେଇଥିବା ବିଜାପୁର ପୁଲିସ ଆଗରେ କହିଛନ୍ତି ମାଓ ସମର୍ଥକ ଦିନେଶ ତାତି । ଏହାସହ ଦିନେଶଙ୍କ ଠାରୁ ଏକ ମାଓ ପୋଷ୍ଟର ଓ ଗୋଟିଏ ପାସବୁକ୍ ଜବତ ହୋଇଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି ।