ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

187

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏଲପିଡିସି ଅର୍ଥାତ ଲ୍ୟାଣ୍ଡରର କ୍ୟାମେରାରୁ ଏହି ଫଟୋ ନିଆଯାଇଛି ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପାଇଁ ସଠିକ୍ ସ୍ଥାନ ବାଛିବ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଏହି ଅତ୍ୟାଧୁନିକ କ୍ୟାମେରା । ପରେ ୨୦ତାରିଖରେ ଆଉ ଥରେ ତାକୁ ଡିବୁଷ୍ଟିଂ କରାଯାଇ ଚନ୍ଦ୍ରଠାରୁ ସର୍ବାଧିକ ଶହେ କିଲୋମିଟର ସର୍ବନିମ୍ନ ୩୦କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ । ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ ।

ଅଗଷ୍ଟ ୨୩ତାରିଖ ଅପରାହ୍ଣରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।