ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ  ।

200

କନକ ବ୍ୟୁରୋ: ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ସାମାଜିକ ଗଣମାଧ୍ୟମକୁ ତାଗିଦ୍ କରାଯାଇଛି । ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଡିପଫେକକୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି । ଡିପଫେକକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା । ପରେ ଏ ଦିଗରେ ସାମାଜିକ ଗଣମାଧ୍ୟମର ପଦକ୍ଷେପକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜଣାପଡିଛି କିଛି ଗଣମାଧ୍ୟମ ସଂସ୍ଥା ଏହି ନିୟମକୁ କଡାକଡି ଭାବେ ପାଳନ କରି ନାହାଁନ୍ତି । ଫଳରେ କମ୍ପାନୀ ଗୁଡିକୁ ତାଗିଦ୍ କରି କେନ୍ଦ୍ର ସରକାର କହିଛନ୍ତି, ଏ ଦିଗରେ ଆଗକୁ କଡା ନିୟମ ଆସିବ ।

ଆଇଟି ନିୟମ ଅନୁଯାୟୀ କମ୍ପାନୀ ବିରୋଧରେ ବି ଅପରାଧିକ ମାମଲା ଲାଗୁ ହୋଇ ପାରିବ ବୋଲି ସରକାର ଚେତାଇ ଦେଇଛନ୍ତି । ଏ ଦିଗରେ ଆଗାମୀ ୭ ଦିନ ମଧ୍ୟରେ ଆଉ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । କିଛି ଦିନ ପୂର୍ବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା ।