ବ୍ରିଟିସ ଅମଳର ଆଇନ୍ ବଦଳିଲା: ୩ଟି ନୂଆ ଆଇନ୍ ଆଜିଠୁ ଲାଗୁ

305

କନକ ବ୍ୟୁରୋ: ହଟିଲା ବ୍ରିଟିଶ ଅମଳର ଆଇନ୍ । ଲାଗୁ ହେଲା ନୂଆ ଆଇନ୍ । ଅର୍ଥାତ ଇଣ୍ଡିଆନ ପେନାଲ କୋଡ୍ ବା ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି । ଦେଶରେ ନୂଆ ଆଇନ ଲାଗୁ ହେବା ପରେ ରାଜ୍ୟରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ଏହି ଅଭିଯୋଗ । ଅଭିଯୋଗ ଆଧାରରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ । ତେବେ କଣ ଥିଲା ବ୍ରିଟିଶ ଅମଳର ଆଇନ୍ ଏବଂ କଣ ରହିଛି ଲାଗୁ ହୋଇଥିବା ନୂଆ ଆଇନରେ ଆସନ୍ତୁ ପଢିବା ।

ଦେଶରେ ନୂଆ ଆଇନ ଲାଗୁ ହେବା ପରେ ରାଜ୍ୟରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଅଭିଯୋଗ ଆଧାରରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ । ବାପା ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅ । ଜୁନ୍ ୨୯ତାରିଖ ରାତି ୮ଟା ୧୫ମିନିଟରେ ତିନି ଜଣ ଦୁର୍ବୃତ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଗୌରାଙ୍ଗ ଚରଣ ଦାସଙ୍କୁ ଚିନ୍ତାମଣିଶ୍ୱର ମନ୍ଦିର ପ୍ରଥମ ଲେନ୍ ପାଖରେ ଦୁଇଟି ବାଇକରେ ୩ ଜଣ ଆସି ବ୍ଲେଡରେ ବେକକୁ କାଟି ପକାଇଥିଲେ । ଏନେଇ ତାଙ୍କ ପୁଅଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ହତ୍ୟା ଉଦ୍ୟମ ମାମଲାରେ ନୂଆ ଆଇନ ଅନୁଯାୟୀ ବିଭିନ୍ନ ଦଫା ଲଗାଇଛି ପୋଲିସ । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) ଓ ୩(୫)ରେ ମାମଲା ରୁଜୁ କରାଯାଇଛି । ଏହି ଅଫଆଇଆରକୁ ତର୍ଜମା କଲେ ଜଣାଯାଏ
ପୁରୁଣା ବନାମ ନୂଆ ଆଇନ୍
ଅପରାଧ                                       ଥିଲା                                     ହେଲା
ହତ୍ୟା ଉଦ୍ୟମ                              ଆଇପିସି ୩୦୭                       ବିଏନଏସ ୧୦୯
ବେଆଇନ ଭାବେ ଅଟକାଇବା          ଆଇପିସି ୩୪୧                      ବିଏନଏସ ୧୨୬ (୨)
ଆକ୍ରମଣ                                     ଆଇପିସି ୩୨୩                      ବିଏନଏସ ୧୧୫ (୨)
ଧାରୁଆ ଅସ୍ତ୍ରରେ ଆଘାତ                  ଆଇପିସି ୩୨୪                     ବିଏନଏସ ୧୧୮ (୧)
ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତି            ଆଇପିସି ୩୪                        ବିଏନଏସ ୩ (୫)

ଏଥିସହ ଆଜିଠାରୁ ସାରାଦେଶରେ –
କ’ଣ ଥିଲା କ’ଣ ହେଲା?
– ଇଣ୍ଡିଆନ ପେନାଲ କୋଡ୍- ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା
– କୋଡ୍ ଅଫ କ୍ରିମିନାଲ ପ୍ରୋସିଡିଓର- ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା
– ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ
ଲାଗୁ ହୋଇଛି । ଏଥିସହ ୧୮୬୦ ମସିହାରୁ ଚଳି ଆସୁଥିବା ବ୍ରିଟିସ ଆଇନକୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ଥିବା ୫୧୧ଟି ସେକ୍ସନକୁ କମାଇ ୩୫୮ କରିଦିଆଯାଇଛି ଓ ୧୭୫ଟି ସେକ୍ସନରେ ହୋଇଛି ସଂଶୋଧନ । ୭୫ ବର୍ଷ ଧରି ଦେଶରେ ପ୍ରଚଳିତ ହୋଇଆସୁଥିବା ତ୍ରୁଟିପୂର୍ଣ୍ଣ ଆଇନ ହଟିଥିବାରୁ ଏହାକୁ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ନୂଆ ଆଇନ ଅନୁଯାୟୀ, ଶୁଣାଣି ଆରମ୍ଭ ହେବାର ୬୦ ଦିନରେ ଚାର୍ଜସିଟ୍ ଏବଂ ଟ୍ରାଏଲ ଶେଷ ହେବାର ୪୫ ଦିନରେ ଦଣ୍ଡବିଧାନ କରିବାକୁ ବ୍ୟବସ୍ଥା ରହିଛି । ଯାହା ଦେଶର ନ୍ୟାୟ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଆଣିବ ବୋଲି ସରକାରଙ୍କ ଦାବି ।