କିଏ ଏହି ଭାରତୀୟ ଯୁବକ ? ଯାହାକୁ ହୃଦୟ ଦେଲେ ବ୍ରିଟିଶ୍ ମହିଳା ଅଫିସର

298

କନକ ବ୍ୟୁରୋ: ବିଦେଶୀ ମହିଳା ଅଫିସରଙ୍କ ମନ ମୋହିଲେ ଭାରତୀୟ ଯୁବକ । ନିଜର ଉଚ୍ଚ ପଦବୀ ଓ ବିଦେଶର ସବୁ ଚାକଚକ୍ୟକୁ ପଛରେ ପକାଇ ଭାରତୀୟ ଯୁବକଙ୍କ ହାତ ଧରିଲେ ଭାରତରେ ଅବସ୍ଥାପିତ ଜଣେ ବ୍ରିଟିଶ୍ ମହିଳା ଅଫିସର । ଅଗ୍ନିକୁ ସାଖୀ ରଖି ସାତ ଜନ୍ମର ସାଥୀ ହେବାକୁ କଥା ଦେଲେ ।
ଏପରି ଘଟିଛି ରାଜଧାନୀ ଦିଲ୍ଲୀରେ । ଏଠାରେ କାର୍ଯ୍ୟରତ ବ୍ରିଟେନର ଡେପୁଟି ବାଣିଜ୍ୟିକ କମିଶନର ରିଆନନ୍ ହୈରିଜ୍ ଭାରତର ହିମାଂଶୁ ପାଣ୍ଡେଙ୍କୁ ବିବାହ କରି ଜନ୍ମ ଜନ୍ମର ସାଥୀ ହୋଇଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ରିଆନନ୍ । ତେବେ କିଏ ଏହି ଭାରତୀୟ ଯୁବକ ଯାହାକୁ ହୃଦୟ ଦେଇଦେଲେ ବିଦେଶୀ ମହିଳା ଅଫିସର?

ରାଜକର୍ମ କରିବାକୁ ରିଆନନ୍ ଆସିଥିଲେ ସୂଦୂର ଭାରତ । କିନ୍ତୁ ଜଣାନଥିଲା ଏଇ ଦେଶରେ ହିଁ ତାଭ୍କୁ ଅପେକ୍ଷା କରିଛି ଆଉ ଏକ ନୂଆ ଜୀବନ । ଭାରତରେ ତାଙ୍କୁ ଏପରି କିଛି ମିଳିବ ଯାହା ପାଇଁ ସେ ସାରା ଜୀବନକୁ ବନ୍ଧା ପକାଇଦେବେ । କେବେ ସ୍ୱପ୍ନରେ ବି ଭାବିନଥିବା କଥା ସତ ହୋଇଗଲା । ରିଆନନ୍ ଭାରତରେ ଏପରି ଜଣେ ଯୁବକଙ୍କୁ ଦେଖିଲେ ପଥମ ଦେଖାରେ ତାଙ୍କୁ ହୃଦୟ ଦେଲେ । ଏବେ ଏହି ପ୍ରେମ ବିବାହରେ ପରିଣତ ହୋଇଗଲା । ଏନେଇ ଟ୍ୱିଟ କରିଛନ୍ତି ରିଆନନ୍ । ‘ ୪ ବର୍ଷ ପୂର୍ବରୁ ସେ ଅନେକ ଆଶା ନେଇ ଭାରତ ଆସିଥିଲେ କିନ୍ତୁ ଜଣାନଥିଲା ଏଠି ତାଙ୍କୁ ଏମିତି ଜଣେ ମିଳିଯିବ ଯାହା ପାଖରେ ନିଜକୁ ସମର୍ପିଦେବେ । ଭାରତ ପରି ଏକ ଉଚ୍ଚ ଐତିହ୍ୟ ସମ୍ପନ୍ନ ଦେଶକୁ ନିଜ ଘର ଭାବେ ପାଇ ସେ ବହୁତ ଖୁସି’ ବୋଲି ରିଆନନ୍ ହୈରିଜ୍ ନିଜ ଟ୍ୱିଟରରେ ଲେଖିଛନ୍ତି ।

ଟ୍ୱିଟରରେ ଥିବା ପ୍ରୋଫାଇଲ ମୁତାବକ ରିଆନନ୍ ହୈରିସ୍ ସମାଜରେ ସମାନତା ଓ ଗ୍ରୀନ୍ ଇକୋନୋମିର ଜଣେ ବଡ ସମର୍ଥକ । ସେ ବହୁତ ଭ୍ରମଣ ପ୍ରିୟ । ଅନ୍ୟପଟେ ହିମାଂଶୁ ଜଣେ ଫିଲ୍ମ ମେକର । ଗଡ୍ ରକ୍ ଫିଲ୍ମ ନାମକ ପ୍ରତିଷ୍ଠାନର ମାଲିକ ହେଉଛନ୍ତି ହିମାଂଶୁ । ନିଜ ଇନଷ୍ଟାଗ୍ରାମ ପେଜରେ ଏକ ୟୁଟୁବ୍ ଚ୍ୟାନେଲର ଲିଙ୍କ ମଧ୍ୟ ସେୟାର କରିଛନ୍ତି ହିମାଂଶୁ । ସେ ଜଣେ ସ୍ୱତନ୍ତ୍ର ଫିଲ୍ମ ମେକର୍ ଓ ଶ୍ରୀ ଅରୋବିନ୍ଦୋ ସେଣ୍ଟର ଫର୍ ଆର୍ଟସ୍ କମ୍ୟୁନିକେସନର ଛାତ୍ର । ୧୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ସହ ସେ ଏକାଧିକ ସର୍ଟ ଫିଲ୍ମ ଓ ଭିଡିଓ ପ୍ରୋଜେକ୍ଟରେ କାଷ୍ଟିଙ୍ଗ ନିର୍ଦ୍ଦେଶକ, ନିର୍ଦ୍ଦେଶକ, ଲେଖକ ଓ ନିର୍ମାତା ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ଏଡିଜେବି ପ୍ରଡକ୍ସନ୍ ନ୍ୟୁୟର୍କ ପରି ସଙ୍ଗଠନ ପାଇଁ ମଧ୍ୟ ଫିଲ୍ମ ସୁଟିଂ ଓ ଅର୍ଗାନାଇଜର ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।

ନିକଟରେ ହିମାଂଶୁ ଓ ରିଆନନ୍ ହୈରିଜ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପରେ ଦୁହିଁଙ୍କୁ ବ୍ରିଟେନରୁ ଓ ଭାରତର କୋଣ ଅନୁକୋଣରୁ ୟୁଜର୍ସ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।