ବୌଦ୍ଧର ଘୂର୍ଣ୍ଣାୟମାନ ରଥ : ରଥର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ; ରହିଛି ବିଶେଷ ସ୍ୱତନ୍ତ୍ରତା

370

କନକ ବ୍ୟୁରୋ : ପୁରୀ, ବାରିପଦା ଆଉ ତାପରେ ପଶ୍ଚିମ ଓଡିଶାର ସବୁଠୁ ବଡ ବୌଦ୍ଧର ରଥ କୁହାଯାଏ । ଯାହାର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ଅଭଙ୍ଗା ଏହି ରଥ ଉପରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ । ଯାହାକି ସମଗ୍ର ଦେଶରେ ଅଦ୍ୱିତୀୟ । କାହିଁ କୋଉ ଆବାହନ କାଳରୁ ନିର୍ମାଣ ହୋଇଥିବା ବୌଦ୍ଧ ରଥର ରହିଛି ବିଶେଷ ସ୍ୱତନ୍ତ୍ରତା ।

ରାଜା ରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବୌଦ୍ଧ ରଥର ଉଚ୍ଚତା ୪୫ ଫୁଟ ଥିବାବେଳେ ଚଉଡା ଥିଲା ୨୭ ଫୁଟ୍ । କାଳକ୍ରମେ ଏହାର ଉଚ୍ଚତା ଏବଂ ଚଉଡା ହ୍ରାସପାଇ ଯଥାକ୍ରମେ ୩୮ଏବଂ ୨୩ ଫୁଟ ରହିଥିବା ବେଳେ ଅଭଙ୍ଗା ଏହି ରଥ କୁ ପ୍ରତ୍ୟେକ ବର୍ଷ କେବଳ ମରାମତି କରି ରଥ ଟଣାଯାଇଥାଏ । ଭିନ୍ନ ଶୈଳୀରେ ନିର୍ମାଣ ହୋଇଥିବା ବୌଦ୍ଧର ଏହି ରଥର ଉପର ମଧ୍ୟ ଭାଗରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ ।

ଯାହାକି ରଥ ଏବଂ ବାହୁଡା ସମୟରେ ସଂପୂର୍ଣ୍ଣର ରଥକୁ ବୁଲାନଯାଇ କେବଳ ଚତୁର୍ଦ୍ଧାମୂର୍ତ୍ତି ଉପବେଷ୍ଟିତ ହେଉଥିବା ବେଦୀକୁ ବୁଲାଯାଇଥାଏ । ଆଉ ଗୋଟାଏ ରଥରେ ହିଁ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି । ପୁରୀ ଭଳି ବୌଦ୍ଧରେ ମଧ୍ୟ ୩ ଠାକୁରଙ୍କୁ ଧାଡି ପହଣ୍ଡି କରି ରଥ ଉପରେ ଉପବେଷ୍ଟିତ କରାଯାଇ ଥାଏ । ବୌଦ୍ଧ ରାଜାଙ୍କ ଛେରା ପହଁରା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ ।