ମଝି ନଦୀରେ ଖରାପ ହେଲା ଯାତ୍ରୀବାହୀ ଡଙ୍ଗା : ୧୬ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ

85

କନକ ବ୍ୟୁରୋ : ମଝି ନଦୀରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଲା । ଡଙ୍ଗାରେ ଥିଲେ ୧୬ ଜଣ ଯାତ୍ରୀ । ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ବୋଟ୍ ଆମ୍ବୁଲାନ୍ସର କର୍ମଚାରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ଯନ୍ତ୍ର ଚାଳିତ ଡଙ୍ଗା ମହାନଦୀ ଦେଇ ପାରାଦ୍ୱୀପ ଅଭିମୁଖେ ଯାଇଥିଲା ।

ସେଠାରୁ ବତୀଘର ଫେରିବା ସମୟରେ ମଝୀ ନଦୀରେ ଡଙ୍ଗାଟି ଖରାପ ହୋଇ ଯାଇଥିଲା । ଫଳରେ ଡଙ୍ଗାଟି ମଝି ନଦୀରେ ଭାସୁଥିଲା । ଏହି ସମୟରେ ବୋଟ ଆମ୍ବୁଲାନ୍ସ କର୍ମଚାରୀ ବତୀଘର ଅଞ୍ଚଳରୁ ଜଣେ ଗୁରୁତର ରୋଗୀଙ୍କୁ ମହାନଦୀ ପାରି କରି ନଦୀ ଆରପଟକୁ ନେଉଥିଲେ । ଖରାପ ହୋଇଥିବା ଡଙ୍ଗାର ଯାତ୍ରୀମାନେ ଏକ ଗାମୁଛା ହଲାଇ ଉଦ୍ଧାର କରିବାପାଇଁ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିବେଦନ କରିିଥିଲେ । ପରେ ଡଙ୍ଗାରେ ଥିବା ୧୬ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ବୋଟ୍ ଆମ୍ବୁଲାନ୍ସର କର୍ମଚାରୀ ।