ତେଲେଙ୍ଗାନା ବିଜେପି ସାଂସଦଙ୍କ ବିବାଦୀୟ ବୟାନ । କହିଲେ, ଘର ନିର୍ମାଣ ଓ ପୁଅ ବାହାଘର କରିବାରେ ଖର୍ଚ୍ଚ କରିଦେଲି ସାଂସଦ ପାଣ୍ଠି

527

କନକ ବ୍ୟୁରୋ : ତେଲେଙ୍ଗାନାର ବିଜେପି ସାଂସଦ ସୋୟମ ବାପୁ ରାଓଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ସାଂସଦ । ଏହି ଭିଡିଓରେ ସାଂସଦ ଜଣଙ୍କ ନିଜ ତରଫରୁ ସରକାରୀ ଅର୍ଥର ଦୁରୋପଯୋଗ କରିଥିବା କଥା ନିଜେ ମାନୁଛନ୍ତି । ସୋୟମ ବାପୁ ରାଓ ସ୍ୱୀକାର କରିଛନ୍ତି କି ତାଙ୍କୁ ମିଳୁଥିବା ସାଂସଦ ପାଣ୍ଠିକୁ ସେ ନିଜ କାମରେ ଲଗାଇ ଦେଇଛନ୍ତି । ସୋୟମ ବାପୁ ରାଓ ବିଜେପି ପ୍ରତିନିଧିଙ୍କ ସହ ଏକ କାର୍ଯ୍ୟକ୍ରମରେ ଏନେଇ ସ୍ୱୀକାର କରିଛନ୍ତି । ସ୍ଥାନୀୟ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସାଂସଦ ପାଣ୍ଠିକୁ ସେ ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଖର୍ଚ୍ଚ କରିବା ବଦଳରେ ବ୍ୟକ୍ତିଗତ ଭାବେ ଖର୍ଚ୍ଚ କରିଦେଇଛନ୍ତି ।

୧୯୯୩ ମସିହାରୁ ଆରମ୍ଭ ହୋଇଥିବା ସାଂସଦ ପାଣ୍ଠିକୁ ନିଜ ନିଜର ନିର୍ବାଚନ କ୍ଷେତ୍ରରେ ଆବଶ୍ୟକତା ଆଧାରରେ ସ୍ଥାନୀୟ ବିକାଶ ପରିଯୋଜନା ପାଇଁ ଆବଣ୍ଟିତ କରିବାକୁ ଅନୁମତି ଦେଇଥାଏ । ଭାଇରାଲ ଭିଡିଓରେ ସାଂସଦ ରାଓ କହିଛନ୍ତି କି, ତାଙ୍କୁ ମିଳିଥିବା ସାଂସଦ ପାଣ୍ଠିକୁ ସେ ନିଜ ପୁଅ ବାହାଘର ଓ ନିଜ ଘର ନିର୍ମାଣରେ ଖର୍ଚ୍ଚ କରିଦେଇଛନ୍ତି ।

ସାଂସଦ ରାଓ କହିଛନ୍ତି କି ଦ୍ୱିତୀୟ ପର୍ଯ୍ୟାୟରେ ସାଂସଦ ପାଣ୍ଠିକୁ ମିଳିଥିବା ୨.୫ କୋଟି ଟଙ୍କାରୁ କିଛି ଟଙ୍କା ଖର୍ଚ୍ଚ କରି ନିଜ ପୁଅ ବାହାଘର କରିଥିଲେ ଓ କିଛି ଟଙ୍କାରେ ସେ ନିଜ ପାଇଁ ଏକ ଘର ନିର୍ମାଣ କରିଥିଲେ । ସେ କହିଛନ୍ତି କି ଅନ୍ୟ ନେତାମାନେ ଏହା ସ୍ୱୀକାର କରିନଥାନ୍ତି ହେଲେ ସମସ୍ତଙ୍କ ସାମ୍ନାରେ ମୁଁ ଏହାକୁ ସ୍ୱୀକାର କରୁଛି ।