୨୦୨୪ ପାଇଁ ବିଜେପି ବଦଳାଇଲା ଟାର୍ଗେଟ: ମିଶନ୍ ୧୨୦ରୁ ୮୦କୁ ଖସି ଆସିଲା ଲକ୍ଷ୍ୟ

1,430

କନକ ବ୍ୟୁରୋ: ମିଶନ-୧୨୦ର ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ରାଜ୍ୟ ବିଜେପିର ଅଚାନକ ବଦଳିଗଲା ଟାର୍ଗେଟ । ୧୨୦ରୁ ବିଜେପି ଏବେ ୮୦କୁ ଚାଲିଆସିଛି । ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି ଯେ, ୨୦୨୪ରେ ରାଜ୍ୟ ବିଜେପିର ଟାର୍ଗେଟ ୧୨୦ ନୁହେଁ ୮୦ । ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସ ଏବଂ ଶାସକ ବିଜେଡି, ବିଜେପିକୁ ଟାର୍ଗେଟ କରିଛନ୍ତି ।

ମିଶନ୍ ୧୨୦ ନାରା ଦେଇ ୨୦୧୯ ନିର୍ବାଚନ ଲଢ଼ିଥିଲା ରାଜ୍ୟ ବିଜେପି । କେନ୍ଦ୍ରୀୟ ବିଜେପର ଆହ୍ୱାନରେ ଉତ୍ସାହିତ ହୋଇ ୧୨୦ ଟାର୍ଗେଟ୍ ଧରି ମୈଦାନକୁ ଓହ୍ଲାଇଥିଲା । ହେଲେ ଫଳାଫଳ ହୋଇଥିଲା ଓଲଟା । କିନ୍ତୁ ମିଶନ ୧୨୦ ନାରାକୁ ଭୁଲି ନଥିଲେ ଦଳୀୟ ନେତା । ହେଲେ ଶାରସକଣ ବିଜେପି ବିଧାୟକ ଯେଉଁ ବୟାନ ଦେଇଛନ୍ତି ସେଥରୁ ହୁଏତ ଗୋଟିଏ କଥା ସ୍ପଷ୍ଟ ଯେ, ଟାର୍ଗେଟ୍ ବଦଳାଇଛି ଭାରତୀୟ ଜନତା ପାର୍ଟି ।

ବିଧାୟକ ବୁଧାନ ମୁର୍ମୁ କହିଛନ୍ତି- ୨୦୨୪ରେ ରାଜ୍ୟ ବିଜେପିର ଟାର୍ଗେଟ ୧୨୦ ନୁହେଁ ୮୦ । ରାଜ୍ୟରେ ସରକାର କରିବା ପାଇଁ ଯେତିକି ଆସନ ଆବଶ୍ୟକ ତାକୁ ଲକ୍ଷ୍ୟରେ ରଖି ନିର୍ବାଚନ ଲଢିବ ଦଳ ।

ବିଜେପି ବିଧାୟକଙ୍କ ବୟାନ ପରେ କଂଗ୍ରେସ ଏବଂ ଶାସକ ବିଜେଡି ଦଳ ପକ୍ଷରୁ ବିଜେପିକୁ ଟାର୍ଗେଟ କରାଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି- କହିବାକୁ ଟ୍ୟାକ୍ସ ପଡେ ନାହିଁ, ୨୪ରେ କିଏ ପାସ କରିବ ଏବଂ କିଏ ଫେଲ ହେବ ସେ ବିଚାର ସାଧାରଣ ଜନତା କରିବେ । ଏପଟେ ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି ଚାରିକାନ୍ଥ ଭିତରେ ରାଜନୀତିର ଅଙ୍କକଷା ହୁଏନାହିଁ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳ, ୨୪ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗୁରୁବାର ବିଜେଡିର କର୍ଯ୍ୟକାରଣୀ ବୈଠକ ବସିବାକୁ ଯାଉଥିବା ବେଳେ ଗୌହାଟିରେ ପୂର୍ବ ଭାରତର ସଭାପତି ଏବଂ ପ୍ରଭାରୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେପିର ଚାଣକ୍ୟ ଅମିତ ଶାହ ।