ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ସମାଧି ସ୍ମାରକ : ଆଧୁନିକୀକରଣ ପାଇଁ ଭାଙ୍ଗିଲା ପ୍ରଶାସନ, ପୂର୍ବରୁ ସମାଧି ଉଛେଦ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

578

କନକ ବ୍ୟୁରୋ : ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ସମାଧି । ଆଧୁନିକୀକରଣ ପାଇଁ ବିଜୁ ସମାଧିକୁ ହଟାଇ ଦେଇଛି ପ୍ରଶାସନ । ସ୍ୱର୍ଗଦ୍ୱାରର ଆଧୁନିକୀରଣ ପାଇଁ ବିଜୁ ସମାଧିକୁ ହଟାଇବାକୁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । କିଛ ଦିନ ହେବ ସ୍ୱର୍ଗଦ୍ୱାର ଉଚ୍ଚେଦ ଆରମ୍ଭ ହେଉଥିବା ବେଳେ ଅପ୍ରୀତିକର ପରିସ୍ଥିତିକୁ ନଜର ରଖି ରାତି ଅଧିଆ ବିଜୁ ସମାଧିକୁ ହଟାଯାଇଛି ।

ସ୍ୱର୍ଗଦ୍ୱାର ବିକାଶ ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ବିଜୁ ସମାଧିକୁ ହଟାଇବାକୁ  ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଥିଲେ, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ ବୋଲି ନବୀନ କହିଥିଲେ ।

ସୂଚନାଯୋଗ୍ୟ ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ତେବେ ପୁରୀ ସମେତ ସ୍ୱର୍ଗଦ୍ୱାରର ସୌନ୍ଦର୍ୟ୍ୟକରଣ ପାଇଁ ଯେତେବେଳେ ରାଜ୍ୟ ସରକାର ଅଣ୍ଟା ଭିଡିଥିଲେ ସେତେବେଳେ ବିଜୁଙ୍କ ସମାଧି ଉଚ୍ଛେଦ କରିବାକୁ ମଧ୍ୟ ଦାବି ଉଠିଥିଲା । ବିଭିନ୍ନ ସଙ୍ଗଠନ ଗୁଡିକ ପକ୍ଷରୁ ଏହି ଦାବି ଉଠିଥିବା ବେଳେ ଏହାକୁ କିଛି ସଙ୍ଗଠନ ବିରୋଧ ମଧ୍ୟ କରିଥିଲେ । ଆଉ ଏସବୁ ଭିତରେ ସ୍ୱର୍ଗଦ୍ୱାରରୁ ବିଜୁଙ୍କ ସମାଧି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ହଟିସାରିଛି ବିଜୁ ସମାଧି ।