ଏବେ ବି ପୁରୀ ନୀଳାଚଳ ଅର୍ବାନ ହାଟରେ ବିଜୁ ବାବୁଙ୍କ ଅସ୍ଥି କଳସ : ଗ୍ରହଣ ନକଲେ ଇଣ୍ଡୋନେସିଆକୁ ହସ୍ତାନ୍ତର ପାଇଁ ଜଗନ୍ନାଥ ସେନାର ଚେତାବନୀ

2,824

କନକ ବ୍ୟୁରୋ : ଏବେ ବି ପୁରୀରେ ରହିଛି ବିଜୁ ବାବୁଙ୍କ ଅସ୍ଥି କଳସ । ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ଅସ୍ଥି କଳସ ବନ୍ଦ ହୋଇ ରହିଛି । ୨୦୧୯ ମସିହାରେ ସ୍ୱର୍ଗଦ୍ୱାରରୁ ବିଜୁ ସ୍ମୃତି ସ୍ତମ୍ଭ ହଟାଯିବା ପରେ ଶ୍ରୀଜଗନ୍ନାଥ ସେନା ବିଜୁ ବାବୁଙ୍କ ଅସ୍ଥି ଅବଶେଷ ମହଜୁଦ ରଖିଛନ୍ତି । ଅର୍ବାନ ହାଟରେ ଜିଲ୍ଲା ପ୍ରଶାସନର ସହଯୋଗରେ ଏକ କକ୍ଷ ଯୋଗାଇ ଦିଆଯାଇଥିବାରୁ ସେଠାରେ ୪ ବର୍ଷ ହେଲା ବିଜୁ ବାବୁଙ୍କ ଅସ୍ଥି କଳସ ରଖାଯାଇଛି । ଅସ୍ଥି କଳସକୁ ନେଇ ଜଗନ୍ନାଥ ସେନା ପକ୍ଷରୁ ନବୀନ ନିବାସକୁ ଯାତ୍ରା କରାଯିବ ବୋଲି କୁହାଯାଇଛି ।

ଜଗନ୍ନାଥ ସେନା ପକ୍ଷରୁ ଏସଂପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଏଥିପ୍ରତି ଆନ୍ତରିକତା ଦେଖାଯାଉନଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ଅସ୍ଥି କଳସ ନନେଲେ ପୁରୀରୁ ନବୀନ ନିବାସକୁ ଅସ୍ଥି କଳସକୁ ଯାତ୍ରା କରାଯିବ । ନବୀନ ନିବାସରେ ପ୍ରଦକ୍ଷଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଗ୍ରହଣ ନକଲେ ଅସ୍ଥି କଳସକୁ ଇଣ୍ଡୋନେସିଆକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଅସ୍ଥି କଳସ ନେବା ପାଇଁ ବାରମ୍ବାର ପ୍ରସ୍ତାବ ଦେଇଛନ୍ତି ।