ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନାରେ ଘର । ଭଙ୍ଗା ଘରେ କଟୁଛି ଜୀବନ ।

98

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ ? ଭଙ୍ଗା ଦଦରା, ଚାଳ ଓ ପଲିଥିନ୍ ଘରେ କଟୁଛି ଜୀବନ । ଗତ କିଛିଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଝୁଲୁଥୁଲା ପ୍ରଧାନମନ୍ତୀ ଆବାସ ତାଲିକା । ହେଲେ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡିଛନ୍ତି । ସେମାନଙ୍କ ତାଲିକାରେ ନାମ ନାହିଁ । ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ବାହାରଣା ପଞ୍ଚାୟତରେ ।

ବଗଲଗଡ ସାହିର ଅଞଳି ଭୋଇଙ୍କ ଘର ଉପରେ ଝାଟି ମାଡିଗଲାଣି । ଘରଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ମାଟା କାନ୍ଥ ସବୁ ଭାଙ୍ଗି ଆଁ କରିଛି । ଅଞଳିଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ଉପରେ ୬ ପ୍ରାଣୀ ବନ୍ଧା । ଛଣର ଯାହା ମୂଲ୍ୟ, ଘର ଛପର କରିବାକୁ ପଇସା ପାଖରେ ହୋଇପାରୁ ନାହିଁ । ଯାହା ଫଳରେ ତାଙ୍କ ପରିବାର ପଲିଥିନ ତଳେ ଜୀବନ କଟୁଛି ।

ସେହିପରି ରମା ଭୋଇ ଯୋଗ୍ୟ ଥାଇ ବି ସେମାନଙ୍କ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ନାମ ନାହିଁ । ଗାଁର ଅନେକ ହିତାଧିକାରୀ ଯୋଗ୍ୟ ଥାଇ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ମିଳୁନି । ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ଗୁହାରି କଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।