ବାଲେଶ୍ୱରରେ ଖୁବଶୀଘ୍ର ପ୍ରତିଷ୍ଠା ହୋଇପାରେ ଟଙ୍କା ଛପା କାଗଜ କାରଖାନା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ୍ ନୋଟ୍ ପେପର ଇଣ୍ଡିଆର ଏମଡି ।

144

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ୍ ନୋଟ୍ ପେପର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ । ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ସହିତ ବାଲେଶ୍ୱରରେ ହେବାକୁ ଥିବା ଟଙ୍କା ଛପା କାରଖାନା ବିଷୟରେ ଆଲୋଚନା କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ମିଶି ଏହି କମ୍ପାନୀ ବାଲେଶ୍ୱରରେ ଏକ ନୋଟ୍ ଛପା କାରଖାନା ପ୍ରସ୍ତୁତ କରିବାକୁ ଯାଉଛି । ଯେଉଁଥିରେ ପ୍ରାୟ ୨୫ ଶହ କୋଟି ଟଙ୍କା ନିବେଶ ହେବ । ତେଣୁ ମୁଖ୍ୟମନ୍ତ୍ରୀ ଆଜି ବ୍ୟାଙ୍କ୍ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ଏହି ପ୍ରୋଜେକ୍ଟ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୋଟ୍ ଛପାଇବା ପାଇଁ ଆବଶ୍ୟକ ହେଉଥିବା କାଗଜର କାରଖାନା ସ୍ଥାପନ ଉଦ୍ଦେଶ୍ୟରେ ଆରବିଆଇର ଏକ ପ୍ରତିନିଧି ଦଳ ଗତକାଲି ବାଲେଶ୍ୱର ଗସ୍ତରେ ଆସିଥିଲେ । ଏହି ପ୍ରତିନିଧି ଦଳ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଚଷାଖଣ୍ଡ ଓ ନରହରିପୁର ପଞ୍ଚାୟତ ଗସ୍ତ କରି ଇଡକୋ ଅଧୀନରେ ଥିବା ସରକାରୀ ଜାଗା ପରିଦର୍ଶନ କରିଥିଲେ । ଟଙ୍କା ଛପା କାରଖାନା ପାଇଁ ମୋଟ ୧୦୦ ଏକର ଜାଗାର ଆବଶ୍ୟକତା ଅଛି । ଯେଉଁଥିରୁ ୫୦ ଏକର ପ୍ଲାଣ୍ଟ ତିଆରି ହେବା ସହିତ ଅନ୍ୟ ୫୦ ଏକର ଜାଗାରେ କ୍ୱାଟର ଓ ଅଫିସିଆଲଙ୍କ ଗୃହ ନିର୍ମାଣ ହେବ ବୋଲି ସୂଚନା ରହିଛି ।