ଚଳଚିତ୍ର ଆଦିପୁରୁଷ ପାଇଁ ବଢ଼ିପାରେ ସମସ୍ୟା । ସାରାଦେଶରେ ଚଳଚିତ୍ରର ପ୍ରଦର୍ଶନ ବନ୍ଦ କରିବାକୁ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏନ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି

499

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଚଳଚିତ୍ର ଆଦିପୁରୁଷକୁ ନେଇ ବିବାଦ । ମୁକ୍ତିଲାଭ ପରଠୁ ଆଦିପୁରୁଷ ବିବାଦ ଭିତରେ ଫଶିଛି । ଏବେ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏନ ଆଦିପୁୁରୁଷକୁ ବିରୋଧ କରିବା ସହ ଏହାକୁ ବ୍ୟାନ କରିବା ପାଇଁ ଦାବି କରିଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛି ଏଆଇସିଡବ୍ଲୁଏ । ଚିଠିରେ କୁହାଯାଇଛି ଯେଉଁ ପ୍ରେକ୍ଷାଳୟରେ ଚଳଚିତ୍ର ପ୍ରଦର୍ଶନ ହେଉଛି ତାକୁ ତୁରନ୍ତ ବନ୍ଦ କରାଯାଉ । ସମସ୍ତ ପ୍ରେକ୍ଷାଳୟ ଓ ଭବିଷ୍ୟତରେ ଓଟିଟି ପ୍ଲାଟଫର୍ମରେ ଯେପରି ଏହା ପ୍ରଦର୍ଶନ ନକରାଯାଏ ସେନେଇ ସରକାର ଉଚିତ ପଦକ୍ଷେପ ନିଅନ୍ତୁ । ଏଥିସହ ଆଦିପୁରୁଷର ନିର୍ଦ୍ଦେଶକ, ସଂଳାପକାର ଓ କଳାକାରଙ୍କ ବିରୋଧରେ ଏତଲା ଦେବାକୁ ଆସୋସିଏସନ ବିଚାର କରୁଥିବା ଜଣାପଡିଛି । ଯଦି ଏଆଇସିଡବ୍ଲୁଏ ଚିଠିକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରନ୍ତି ତେବେ ପୂରା ଦେଶରେ ଆଦିପୁରୁଷ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇପାରେ । କାହାଣୀ, କଳାକାର ବେଶଭୂଷ ଓ ସଂଳାପକୁ ଘୋର ବିରୋଧ କରାଯାଉଛି । ବଜରଙ୍ଗ ଦଳ, ବିଭିନ୍ନ ହିନ୍ଦୁ ସଂଗଠନ ଏହା ବିରୋଧରେ ଜୋରଦାର ପ୍ରତିବାଦ କରୁଛନ୍ତି । ପ୍ରେକ୍ଷାଳୟ ବାହାରେ ପ୍ରଦର୍ଶନ ଜାରି ରହିଛି । ସେପଟେ ନେପାଳରେ ଆଦିପୁରୁଷ ଉପରେ କଟକଣା ଲାଗିସାରିଛି । ବିବାଦ ବଢୁଥିବାଦେଖି କେନ୍ଦ୍ର ସରକାର ମଧ୍ୟ ପ୍ରତିକ୍ର୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ କାହାରି ମନଭାବନରକୁ ଆଘାତ ଦେବା କୌଣସି ବ୍ୟକ୍ତିର ଅଧିକାର ନାହିଁ ।