ଖାଇବାକୁ ନେଇ ଖଣ୍ଡଯୁଦ୍ଧ : ଥାନାକୁ ଗଲା ମାମଲା; ଜଗନ୍ନାଥ ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ କରୁଥିବା ଅଭିଯୋଗ

120

କନକ ବ୍ୟୁରୋ : ସୂର୍ଯ୍ୟପରାଗରେ ଖାଇଥିଲେ, ଚନ୍ଦ୍ରଗ୍ରହଣରେ ବି ଖାଇଲେ । ହେତୁବାଦୀଙ୍କ ଚିକେନ୍ ବିରିୟାନୀ ଖାଇବାକୁ ନେଇ ହେଲା ଖଣ୍ଡଯୁଦ୍ଧ । ପିଟାପିଟି ହେଲେ ପରମ୍ପରାବାଦୀ ଓ ହେତୁବାଦୀ । ବିରିୟାନୀ ପାର୍ଟି ପାଇଁ ଭୁବନେଶ୍ୱର ଲୋହିୟା ଏକାଡେମୀରେ ପ୍ରସ୍ତୁତି ଚାଲିଥିବା ବେଳେ ଶତାଧିକ ପରମ୍ପରାବାଦୀ ପହଞ୍ଚି ହଙ୍ଗାମା କରିଥିଲେ । ହେତୁବାଦୀଙ୍କ ଶିବିରକୁ ଟେକାପଥର ଓ ଗୋବର ଫିଙ୍ଗିଥିଲେ ।

ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ପିଟାପିଟି ଧସ୍ତାଧସ୍ତି ହୋଇଥିଲା । ସେପଟେ ବ୍ରହ୍ମପୁରରେ ବି ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ହେତୁବାଦୀଙ୍କ ସମୂହ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା । ଏହି ଘଟଣା ପରେ ହେତୁବାଦୀଙ୍କ ନାଁରେ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି । ପୁରୀରେ ହେତୁବାଦୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ସେହିପରି ଗଞ୍ଜାମ କେଶପୁରର ଜଣେ ଆଇନଜୀବୀ ମଧ୍ୟ ମାମଲା ରୁଜୁ କରିଛନ୍ତି । ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେଏତଲା ଦେଇଛନ୍ତି ମହିଳା ସମାଜସେବୀ । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ହେତୁବାଦୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ହିନ୍ଦୁ ଧର୍ମକୁ ନେଇ ଦେଉଥିବା ମନ୍ତବ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ସେପଟେ ଗତକାଲିର ଘଟଣା ପରେ ହେତୁବାଦୀଙ୍କ ପକ୍ଷରୁ ପରମ୍ପରାବାଦୀଙ୍କ ନାଁରେ ମଧ୍ୟ ମାମଲା ହୋଇଥିଲା ।