କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଜେଲରେ ରହିବେ କେଜ୍ରିୱାଲ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ।

107

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ବୁଧବାର ତାଙ୍କୁ ପୁଣିଥରେ ରାଉଜ୍ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିବାବେଳେ, କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେବାକୁ ସିଧା ସିଧା ମନା କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଶୁଣାଣି ସମୟରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେଇନଥିଲେ । ବରଂ ତାଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୧୯ ତାରିଖ ଯାଏଁ ବୃଦ୍ଧି କରିଥିଲେ । ଏହାପରେ ବୁଧବାର ତାଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହେବା ପରେ, ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ତିହାର ଜେଲରୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଜୁଲାଇ ୩ ଯାଏଁ ବୃଦ୍ଧି କରିଛନ୍ତି ।

ଇଡି ଲଗେଇଛି ଗମ୍ଭୀର ଆରୋପ

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ଇଡି କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛି ଯେ, ରାଜଧାନୀ ଦିଲ୍ଲୀରେ ମଦ ବ୍ୟବସାୟରେ ନିବେଶ କରିବା ପାଇଁ ପଞ୍ଜାବର ବ୍ୟବସାୟୀଙ୍କ ପାଖରୁ ଲାଞ୍ଚ ନିଆଯାଇଥିଲା । ଏହାସହ ପଞ୍ଜାବର ଯେଉଁ ବ୍ୟବସାୟୀମାନେ ଏଥିପାଇଁ ଟଙ୍କା ଲାଞ୍ଚ ଦେଇନଥିଲେ, ସେମାନଙ୍କୁ ପଞ୍ଜାବରେ ମଧ୍ୟ ମଦ କାରବାର କରିବାକୁ ଦିଆଯାଇନଥିଲା ବୋଲି ଅଭିଯୋଗ ହେଉଛି । ଯେଉଁ କାରଣରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିଥିଲା । ଏହାପରେ ସେ ମେ ୨୧ ତାରିଖରେ କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ଜାମିନ୍ ମିଳିଥିଲା । ଲୋକସଭା ନିର୍ବାଚନରେ ନିଜ ଦଳ ପାଇଁ ପ୍ରଚାର କରିବାକୁ ତାଙ୍କୁ ଏହି ଜାମିନ୍ ପ୍ରଦାନ କରାଯାଇଥିଲା । ଏହାପରେ ଜୁନ୍ ୨ ତାରିଖରେ ସେ ପୁଣିଥରେ କୋର୍ଟରେ ସରେଣ୍ଡର କରିଥିଲେ ।