କେନ୍ଦ୍ରୀୟ ଯୋଜନାକୁ କଟାକ୍ଷ କଲେ ଅରୁଣ ସାହୁ । ‘ଉଜ୍ଜଳା’ ଯୋଜନାକୁ ଉଜୁଡ଼ା କହି କଲେ ଟାର୍ଗେଟ୍ । ପ୍ରତିବାଦ ସଭାରେ ସାମ୍ବାଦିକ ଭଳି ଦେଲେ ନ୍ୟୁଜ୍!

101

କନକ ବ୍ୟୁରୋ: ପ୍ରତିବାଦବେଳେ ବ୍ରେକିଂ ନ୍ୟୁଜ୍ ପଢିଲେ ବିଜେଡି ବିଧାୟକ ଅରୁଣ ସାହୁ । କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଲେ, ଉଜ୍ଜଳା ନୁହେଁ ବରଂ ଉଜୁଡା ଯୋଜନା । ଯାହା ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ କରିଛି ।

ତେବେ ଅବସର ଥିଲା ବିଜେଡ଼ିର ପ୍ରତିବାଦ ସଭା । ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିଲା ବିଜେଡି । ଏହି ପ୍ରତିବାଦ ସଭାରେ ଭାଷଣ ଦେବା ବେଳେ ସାମ୍ବାଦିକ ଭଳି ନ୍ୟୁଜ୍ ଶୁଣାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଉଜ୍ଜଳା ଯୋଜନାକୁ ଉଜୁଡ଼ା ଯୋଜନା ବୋଲି କଟାକ୍ଷ କରିବା ସହ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ ପାଇଁ କେନ୍ଦ୍ରର ବିଜେପି ସରକାର ଏଭଳି ଦରଦାମ ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅରୁଣ ।

ତେବେ ବିଜେଡିର ପ୍ରତିବାଦ ଥିଲା ସ୍ୱାଭାବିକ୍ । କାରଣ, ବିଗତ ୯ ବର୍ଷ ଭିତରେ ଗ୍ୟାସ୍ ଦର ବଢ଼ିଛି ୩ଗୁଣ । ମାର୍ଚ୍ଚ ପହିଲାରୁ ଏହା ଆହରି ୫୦ ଟଙ୍କା ବଢ଼ି, ୧୧ଶହ ଟପିଯାଇଛି । ଆଉ ଏହି ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରର ଉଜ୍ଜଳା ଯୋଜନାକୁ ଟାର୍ଗେଟ୍ କରିଥିଲେ ବିଜେଡି ନେତା ।

ଉଜ୍ଜଳା ଯୋଜନାକୁ ନେଇ ବିଜେଡି ଯେଉଁ ପ୍ରଶ୍ନ ଉଠାଇଛି, ତାହା ସଂପୂର୍ଣ୍ଣ ଅମୂଳକ କହିଲେ ହୁଏତ ଭୁଲ ହୋଇଯିବ । କାହିଁକି ନା’ ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଉଛି ସତ, କିନ୍ତୁ ଗ୍ୟାସ୍ ସଂଯୋଗ ପରେ ଗ୍ୟାସ୍୍ ରିଫିଲିଂ ହାର ଅହେତୁକ ଭାବେ ହ୍ରାସ ପାଇଛି । ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା କହିଥିଲେ- ଦେଶରେ ୯.୬ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ୍ ସଂଯୋଗ ଦିଆଯାଇଛି । କିନ୍ତୁ ତଥ୍ୟ କହୁଛି, ଗ୍ୟାସ୍ ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ମଧ୍ୟରୁ ୯.୬% ହିତାଧିକାରୀ ଦ୍ୱିତୀୟ ଥର ପାଇଁ ଗ୍ୟାସ୍ ଭରାଇ ନାହାଁନ୍ତି । ୧୧.୩% ଉପଭୋକ୍ତା ଉଜ୍ଜଳା ଯୋଜନାରେ ଗ୍ୟାସ ନେବା ପରେ ମାତ୍ର ଥରେ ହିଁ ରିଫିଲିଂ କରିଛନ୍ତି । ସେହିପରି ୫୬.୫% ଉପଭୋକ୍ତା ୩ରୁ ୪ଥର ଗ୍ୟାସ ଭରାଇବା ପରେ ଆଉ ଗ୍ୟାସ୍ ରିଫିଲିଂ କରିନାହାଁନ୍ତି ।

ରାଜନୀତିର ଏହି ବୟାନବାଜି ଭିତରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଉଜ୍ଜଳା ଯୋଜନାକୁ କେନ୍ଦ୍ର ସରକାର କେତେ ପ୍ରାଧାନ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯାଉଛି । ଗରିବ ଲୋକଙ୍କୁ ଦିଆଯାଉଥିବା ଏଲପିଜି ସଂଯୋଗ ପାଇଁ ଚଳିତବର୍ଷର ବଜେଟରେ ବ୍ୟୟବରାଦ ହୋଇଛି ମାତ୍ର ୦.୦୧ କୋଟି । ଅର୍ଥାତ୍ ୯୯.୯୯% ବ୍ୟୟବରାଦ କମିଛି । ୨୦୨୨-୨୩ ବଜେଟରେ ଏହାର ପରିମାଣ ଥିଲା ୮,୦୧୦ କୋଟି । ତେବେ ବଜେଟ ପରବର୍ତ୍ତୀ ଆଲୋଚନା ପାଇଁ ଗତ ୧୭ ତାରିଖରେ ଭୁବନେଶ୍ୱର ଆସିଥିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ, ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ ଏହି ଯୋଜନାରେ ବ୍ୟୟବରାଦ କମିଛି ।