ବିଜେପିକୁ ରାହୁଲ ଗାନ୍ଧୀଙ୍କ କଠୋର ସମାଲୋଚନା : ଦରବୃଦ୍ଧି ଓ ବେରୋଜଗାରୀ ସମସ୍ୟାର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର

77

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ଆମ ଦେଶରେ ଲୋକତନ୍ତ୍ର ନାହିଁ । ପ୍ରତ୍ୟେକ ଦିନ ଲୋକତନ୍ତ୍ରର ହତ୍ୟା କରାଯାଉଛି । ଦେଶର ସମ୍ବିଧାନକୁ ଅପମାନିତ କରାଯାଉଛି । ୭୦ବର୍ଷରେ ଯାହା ହୋଇଥିଲା ୮ବର୍ଷରେ ଶେଷ ହୋଇଗଲା । ଆଜି ଦେଶରେ କେବଳ ୪ଜଣ ଲୋକଙ୍କ କଥା କାମ କରୁଛି । ଯିଏ ସତ କହିଲା ତାହା ଉପରେ ଆକ୍ରମଣ ହେଉଛି । କେବଳ ସେତିକି ନୁହେଁ ଦେଶରେ ଇଡି ଓ ସିବିଆଇ, ଇନକମ୍ ଟ୍ୟାକ୍ସର ଆତଙ୍କ ଚାଲିଛି ।

ଗତକାଲି ମଧ୍ୟ ରାହୁଲ କହିଥିଲେ, ତାଙ୍କ ଦଳ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନାହିଁ ଏବଂ କେନ୍ଦ୍ରର ଭୟ ସୃଷ୍ଟିକାରୀ ପଦକ୍ଷେପକୁ ବି ଡରୁନାହିଁ । ନେସନାଲ ହେରାଲଡ ମାମଲାରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି, ସେମାନେ ଆମ ଉପରେ ଚାପ ପକାଇ ପାଟି ବନ୍ଦ କରିବାକୁ ଭାବୁଛନ୍ତି । କିନ୍ତୁ ଆମେ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନା ବୋଲି ରାହୁଲ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ସିଧାସଳଖ ଆକ୍ରମଣ କରି ରାହୁଲ କହିଛନ୍ତି, ସେମାନେ ଗଣତନ୍ତ୍ର ବିରୋଧରେ କାମ କରୁଛନ୍ତି । କଂଗ୍ରେସ ଲଗାତାର ସେମାନଙ୍କୁ ବିରୋଧ କରିବ । ଦେଶରେ ସଦ୍‌ଭାବ ବଜାୟ ରଖିବା ପାଇଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଁ ଅହରହ କାମ କରିବି ବୋଲି ରାହୁଲ କହିଛନ୍ତି ।