ପୁଣି ଥରିଲା ଉତ୍ତରାଖଣ୍ଡ । ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ

113

କନକ ବ୍ୟୁରୋ: ଗତ କାଲି ରାତିରେ ନେପାଳରେ ଭାରି ଭୂମିକମ୍ପ ସହ ଦିଲ୍ଲୀ ସମେତ ଉତ୍ତରଭାରତର କିଛି ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାପରେ ଆଜି ପୁଣିଥରେ ଭୋର ସମୟରେ ଉତ୍ତରାଖଣ୍ଡର ପିଥୌରାଗଡରେ ୪.୩ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପ ସଂକ୍ରାନ୍ତରେ ଟୁଇଟ୍‌ କରିଥିବା ସୂଚନାରେ ‘‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଉଲ୍ଲେଖ କରିଛି: ଆଜି ସକାଳ ୬ଟା ୨୭ ମିନିଟ୍‌ ୧୩ ସେକେଣ୍ଡ୍‌ ବେଳେ ୨୯.୮୭ ଡିଗ୍ରି ଅକ୍ଷାଂଶ ଓ ୮୦.୪୯ ଡିଗ୍ରି ଦ୍ରାଘିମା ଅନ୍ତର୍ଗତ ଉତ୍ତରାଖଣ୍ଡର ପିଥୌରାଗଢ଼ରେ ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି। କିନ୍ତୁ, ଏଥିରେ କେହି ମୃତାହତ ହୋଇ ନାହାନ୍ତି କି, ଘରଦ୍ବାରା ଭାଙ୍ଗି ନାହିଁ ବୋଲି ସୂଚନା ମିଳିଛି।

୩ ଦିନ ତଳେ ମଧ୍ୟ ଉତ୍ତରାଖଣ୍ଡରେ ଭୂମିକମ୍ପ ସଂଘଠିତ ହୋଇଥିଲା। ନଭେମ୍ବର ୬ ତାରିଖ ସକାଳ ୮.୩୩ରେ ଉତ୍ତରାଖଣ୍ଡର ତେହରିରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଗତ ୧୦ ବର୍ଷ ହେବ ଉତ୍ତରାଖଣ୍ଡରେ ପ୍ରାୟ ୭୦୦ ଭୂକମ୍ପନ ଅନୁଭୂତ ହେଲାଣି।

ସୂଚନାଯୋଗ୍ୟ, ଗତରାତିରେ ନେପାଳରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଭାରତର ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ୭ଟି ରାଜ୍ୟରେ ଭୂକମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଗୋଟାଏ ଘର ଭାଙ୍ଗିଯିବାରୁ ନେପାଳରେ ଅନ୍ୟୂନ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି।