କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ପୁଣି ଗଲା ଜଣକର ଜୀବନ ।

171

କନକ ବ୍ୟୁରୋ: କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବାବେଳେ, ନରସୀମା ରାଓ ନାମକ ଜଣେ ସଫେଇ କର୍ମଚାରୀ, ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବଡ ମୁକୁଳା ଡ୍ରେନ୍ ପାଶ୍ୱର୍ରେ ନରସୀମା ସଫେଇ କାମ କରୁଥିଲେ । ସଫେଇ କରିବା ସମୟରେ ଭୁଲବଶତଃ ତାଙ୍କର ଗୋଡ ଖସିଯିବାରୁ ସେ ଡ୍ରେନରେ ପଡିଯାଇଥିଲେ । ଡ୍ରେନକୁ ଖସିପଡିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ନରସୀମାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଦରଘାବଜାର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଛନ୍ତି । କିଛି ଦିନ ତଳେ କଟକର ମୁକୁଳା ଡ୍ରେନରେ ପଡି ଜଣେ ଜଣେ ପିଲାର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ, ମାତ୍ର କିଛି ମାସ ଭିତରେ କଟକର ମୁକୁଳା ଡ୍ରେନରେ ପଡି ୪ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏଭଳି ଅଘଟଣକୁ ରୋକିବା ପାଇଁ, ସ୍ଥାନୀୟ ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।