ଯେବେ କୁମ୍ବଲେ କରିଥିଲେ କମାଲ: ଏକାକି ପାକିସ୍ତାନ ଟିମକୁ କରିଥିଲେ ଅଲଆଉଟ

196

କନକ ବ୍ୟୁରୋ: ସେ ଭାରତର କିମ୍ବଦନ୍ତୀ କ୍ରିକେଟର । ତାଙ୍କ ସ୍ପିନର ଯାଦୁଗରିରେ ଚକମା ଖାଆନ୍ତି ବିପକ୍ଷ ଦଳ । ଯେତେବେଳେ ତାଙ୍କ ହାତରେ ବଲ ଥାଏ, ସେତେବେଳେ ବ୍ୟାଟ୍ସମ୍ୟାନମାନେ ଭୟ କରନ୍ତି ତାଙ୍କୁ ସାମ୍ନା କରିବାକୁ । ସେ ହେଉଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଦିନ ଥିଲା କୁମ୍ବଲେ ଏକାକି ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିବାର ଦକ୍ଷତା ରଖୁଥିଲେ । ନିଜ ବୋଲିଂରେ ସେ ବଡ ବଡ ଟିମକୁ ଧରାଶାୟୀ କରିଦେଉଥିଲେ । ଆଜି ଆମେ ଏମିତି ଏକ ଟେଷ୍ଟ ମ୍ୟାଚ କଥା କହିବୁ ଯେଉଁଥିରେ କୁମ୍ବେଲ କମାଲ କରିଥିଲେ । ଏକାକି ପାକିସ୍ତାନ ଟିମକୁ ଅଲଆଉଟ କରି ଇତିହାସ ରଚିଥିଲେ ।

କ୍ରିକେଟ ଇତିହାସରେ ଆପଣ ସଚିନଙ୍କ ୧୦୦ତମ ଅନ୍ତରାଷ୍ଟ୍ରିୟ ଶତକ ଦେଖିଥିବେ, ୮୦୦ତମ ୱିକେଟ ମଧ୍ୟ ଦେଖିଥିବେ, ହେଲେ ଆଜି ଆମେ ଆପଣଙ୍କୁ କହିବୁ ଅନିଲ କୁମ୍ବଲେଙ୍କ ସେହି ୧୦ ୱିକେଟ କଥା । ଯାହା ସେ ଗୋଟିଏ ଇଂନିସରେ ନେଇଥିଲେ । ପୂରା ପାକିସ୍ତାନ ଟିମକୁ ଏକାକି ସେ ପାଣି ପିଆଇ ଦେଇଥିଲେ ।

ସ୍ଥାନ ଥିଲା ଦିଲ୍ଲୀ, ଆଉ ଷ୍ଟାଡିୟମ ଥିଲା ସେତେବେଳର ଫିରୋଜ ଶାହା କୋଟଲା । ୧୯୯୯ ମସିହା ଫେବୃଆରୀ ୨ ତାରିଖ । ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥାଏ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ୨ଟିକିଆ ଟଷ୍ଟେ ସିରିଜର ପ୍ରଥମ ଟେଷ୍ଟରେ ଭାରତ ହାରିସାରିଥାଏ, ଆଉ ଦ୍ୱିତୀୟ ମ୍ୟାଚରେ ବଦଲା ନେବାକୁ ଭାରତ ଏକଦମ ପ୍ରସ୍ତୁତ ହୋଇଥାଏ । ଯଦି ଭାରତ ଏହି ମ୍ୟାାଚରେ ହାରିଯାଇଥାନ୍ତା, ତେବେ ପାକିସ୍ତାନ ଏହି ସିରିଜ ଜିତିନେଇଥାନ୍ତା । ହେଲେ ଏମିତି ହେବାକୁ ଦେଇଥିଲେ କୁମ୍ବଲେ ।

ଏହି ଦ୍ୱିତୀୟ ଟେଷ୍ଟରେ ଟସ ଜିତି ପ୍ରଥମେ ଭାରତ ବ୍ୟାଟିଂ ନେଇଥିଲା । ପ୍ରଥମ ଇଂନିସରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ଦଳ । ସକଲିନ ମୁସ୍ତାକଙ୍କ ବୋଲିଂକୁ ସାମ୍ନା କରିପାରିନଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ଭାରତ ପକ୍ଷରୁ ସାଦଗୋପନ ରମେଶ ୬୦ ଓ ଆଝାରୁଦ୍ଦିନ ୬୭ ରନ କରିଥିଲେ । ଫଳରେ ଦଳ ମାତ୍ର ୨୫୨ ରନ କରିବାରେ ସଫଳ ହୋଇଥିଲା ।

ପାକିସ୍ତାନ ମଧ୍ୟ ତାର ପ୍ରଥମ ଇଂନିସରେ ବିଫଳ ହୋଇଥିଲା । ଏହି ଇଂନିସରେ କୁମ୍ବଲେ ନିଜ ବୋଲିଂର ଝଲକ ଦେଖାଇଥିଲେ । ସେ ଏହି ଇଂନିସରେ ୪ ୱିକେଟ ନେଇଥିଲେ । ଏହାସହ ହରଭଜନ ସିଂ ୩, ଭେଙ୍କଟେଶ ପ୍ରସାଦ ୨ ଓ ଶ୍ରୀନାଥ ଗୋଟିଏ ୱିକେଟ ନେଇଥିଲେ । ଯାହା ଫଳରେ ପାକିସ୍ତାନ ମାତ୍ର ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ତାର ଦ୍ୱିତୀୟ ଇଂନିସରେ ୩୩୯ ରନର ବଡ ସ୍କୋର କରିଥିଲା ।

ପାକିସ୍ତାନର ଦ୍ୱିତୀୟ ଇଂନିସ ଅର୍ଥାତ ଫେବୃଆରୀ ୭ ତାରଖ ବେଳକୁ ସାମ୍ନାରେ ଥାଏ ୪୨୦ ରନର ଟାର୍ଗେଟ । ଆରମ୍ଭରୁ ୧୦୧ ରନ ବିଶାଳ ପାର୍ଟନରସିପ କରି ଟିମ ଇଣ୍ଡିଆକୁ ଚମକାଇଦେଇଥିଲା ପାକିସ୍ତାନ । ହେଲେ ୨୪ ଓଭର ବେଳକୁ କୁମ୍ବଲେଙ୍କ ପ୍ରଥମ ଶିକାର ହୋଇଥିଲେ ସାହିଦି ଆଫ୍ରିଦି । ଏହାପରେ ପାକିସ୍ତାନ ଟିମର ଗୋଟିଏ ପରେ ଗୋଟିଏ ୱିକେଟ ନେଇ ଚାଲିଥିଲେ କୁମ୍ବଲେ । ପୂରା ପାକିସ୍ତାନ ଟିମକୁ ସେ ଏକାକି ଅଲଆଉଟ କରି ଏକ ନୂଆ ଇତିହାସ ନିଜ ନାଁରେ କରିଦେଇଥିଲେ ।