ଅଙ୍ଗନବାଡି ଘରେ ତାଲା ପକାଇଛି ଠିକାଦାର, ଅଙ୍ଗନୱାଡି କର୍ମୀଙ୍କ ମାଟି ପିଣ୍ଡାରେ ବସି ପଢୁଛନ୍ତି କୁନି କୁନି ପିଲା

90

କନକ ବ୍ୟୁରୋ : ନବନିର୍ମିତ ଅଙ୍ଗନବାଡି ଗୃହକୁ ତାଲା ପକାଇ ରଖିଛି ଠିକାଦାର । ତେଣୁ ପିଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତରଗାବାଲି ଗାଁରେ ଏଭଳି ଦେଖିବାକୁ ମିଳିଛି । ଏଠାରେ ଅଙ୍ଗନବାଡି କର୍ମୀଙ୍କ ମାଟି ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ କୁନି କୁନି ପିଲାଙ୍କୁ ବସାଇ ପ୍ରାରମ୍ଭିକ ପାଠ ପଢାଯାଉଛି । ଏପଟେ ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର କୋଠାରେ ତାଲା ପଡିଛି । କୁନି କୁନି ପିଲା ମାନେ ପିଣ୍ଡାରେ ବସି ପାଠ ପଢୁଛନ୍ତି । ବର୍ଷା ହେଉଥିବାରୁ ପିଣ୍ଡାରେ ଜରି ପାଲ ପକାଇ ପିଲାମାନେ ବସୁଛନ୍ତି । ଏଠାରେ ହିଁ କୁନି କୁନି ପିଲାଙ୍କ ପୋଷଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପ୍ରସୂତି ମହିଳାଙ୍କ ମମତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ୨୦୧୭ ମସିହାରୁ ଏମିତି କେନ୍ଦ୍ରଟି ଚାଲିଥିବା ବେଳେ ୨୦୧୯ ମସିହାରେ ତରଗାବାଲି ଅଙ୍ଗନୱାଡି କେନ୍ଦ୍ର ପାଇଁ କୋଠା ନିର୍ମାଣ କରାଯାଇଛି । ହେଲେ ଅଙ୍ଗନବାଡି ଘର ତିଆରି କରିଥିବା ଠିକାଦାର ଘରେ ତାଲା ପକାଇ ନିଜ ଅଧିନରେ ରଖିଛନ୍ତି । ଏହି କେନ୍ଦ୍ରକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଫିରିଙ୍ଗିଆ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି, ହେଲେ ସେ ଏହା ଉପରେ କୌଣସ ପ୍ରତିକ୍ରିୟା ଦେଇନାହାନ୍ତି ।