ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହା, ଜଳାଭିଷେକ କରିବା ପରେ କଲେ ମନ୍ଦିର ପରିକ୍ରମା

104

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା । ମନ୍ଦିରରେ ପହଞ୍ଚି ଜଳାଭିଷେକ କଲେ ଶାହା । ତେବେ ଅମିତ୍ ଶାହା ଲିଙ୍ଗରାଜ ମନ୍ଦିର ଆସିବା ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ପୋଲିସ ପ୍ଲାଟୁନ ମୁତୟନ ହୋଇ ରହିଥିଲେ ।
ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ମନ୍ଦିରରେ ଜଳାଭିଷେକ କରିବା ପରେ ମନ୍ଦିର ପରିକ୍ରମା କରିଛନ୍ତି ଅମିତ୍ ଶାହା । ଏହା ପରେ ମା ପାର୍ବତୀଙ୍କ ମନ୍ଦିରକୁ ଯିବେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିରରୁ ବାହାରିବେ ଅମିତ ଶାହା । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ଼ ରହିଛି । ତେଣୁ ଅମିତ ଶାହା ମନ୍ଦିର ପ୍ରବେଶ ବେଳେ କାଉଡିଆ ଓ ସାଧାରଣ ଲୋକଙ୍କ ପାଇଁ ୨୦ ମିନିଟ୍ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ସେଠାରୁ ଦର୍ଶନ ସାରି ଫେରିବା ପରେ ପୁଣି ଶ୍ରଦ୍ଧାଳୁ ଓ କାଉଡିଆ ମନ୍ଦିରକୁ ପ୍ରବେଶ କରିପାରିବେ । ମନ୍ଦିରରୁ ଫେରି ଅମିତ ଶାହା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯିବେ ।

ଅମିତ ଶାହାଙ୍କ ଏହା ହେଉଛି ତୃତୀୟ ଥର ଲିଙ୍ଗରାଜ ମନ୍ଦିର ଗସ୍ତ । ପୂର୍ବରୁ ୨୦୧୫ ଓ ୨୦୧୭ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ସେତେବେଳେ ଅମିତ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ଏହି ଅବସରରେ ସେ ଲିଙ୍ଗରାଜ ମନ୍ଦିର ରେଜିଷ୍ଟ୍ରାରରେ ଦସ୍ତଖତ କରିଥିଲେ । ଏବେ ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ଲିଙ୍ଗରାଜ ମନ୍ଦିର ଯାଉଛନ୍ତି ।