ଆମେରିକାରେ ମହାମାରୀର ରୂପ ନେଉଛି ମଙ୍କିଫକ୍ସ । ଜନସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳୀନ ପରିସ୍ଥିତି ଘୋଷଣା, ୬ ହାଜର ଉପରେ ସଂକ୍ରମିତ

174

କନକ ବ୍ୟୁରୋ : କରୋନା ପରେ ମଙ୍କିଫକ୍ସ ଭୂତାଣୁ ଏବେ ସାରା ବିଶ୍ୱକୁ ଭୟଭିତ କରିବାରେ ଲାଗିଛି । ଏହି କ୍ରମରେ ଏବେ ସବୁଠାରୁ ଅଧିକ ସଂକ୍ରମଣ ଆମେରିକାରେ ଦେଖିବାକୁ ମିଳିଛି । ଏନେଇ ଦେଶର ସ୍ୱାସ୍ଥ୍ୟବିଭାଗର ଜନସ୍ୱାସ୍ଥ୍ୟରେ ଆପାତକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏନେଇ ଆମେରିକାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି କି ମଙ୍କିଫକ୍ସ ବିରୋଧରେ ଲଢେଇ କରିବାକୁ ଅର୍ଥ ଓ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି । କୁହାଯାଉଛି କି, ସମଲିଙ୍ଗୀ ସଂପର୍କ କାରଣରୁ ଏହି ଭୂତାଣୁ ମାତ୍ରାଧିକ ବ୍ୟାପୁଛି । ଆମେରିକାରେ ବୁଧବାର ସୁଦ୍ଧା ୬,୬୦୦ ଲୋକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ଏନେଇ ସ୍ୱାସ୍ଥ୍ୟ ଓ ମାନବସେବା ସଚିବ ଜୋବିୟର ବେସେରା କହିଛନ୍ତି କି ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଏହାସହ ସେ ଆମେରିକାବାସୀଙ୍କୁ ଏନେଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସେପଟେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶକ ରୋଚେଲ୍ଲେ ୱାଲେନସ୍କି କହିଛନ୍ତି ଯେ ମଙ୍କିଫକ୍ସ ସଂକ୍ରମଣ ନେଇ ଯେତେ ସ୍ୱଚ୍ଛ ଡାଟା ଆସିବ ଏହାର ପ୍ରତିକାରରେ ତାହା ସହାୟକ ହେବ ।

କହିରଖୁ କି , ଆମେରିକାରେ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଏହା ପ୍ରଥମେ ୟୁରୋପରେ ଦେଖାଦେଇଥିଲା । ହେଲେ ଏବେ ଚିନ୍ତାର ବିଷୟ ହେଉଛି କି ଏହି ଭୂତାଣୁକୁ ରୋକିବା ଓ ସଂକ୍ରମିତଙ୍କୁ ଚିକିତ୍ସା କିରବାରେ ଯେଉଁ ଟିକା ଓ ଔଷଧର ଆବଶ୍ୟକତା ରହିଛି ଏବେ ତାହାର ଯୋଗାଣ ଆବଶ୍ୟକ ମୁତାବକ କମ ହେବାରେ ଲାଗିଛି ।