ପୁଣି ଆମେରିକାରେ ଚମକିଲେ ଭାରତୀୟ ମହିଳା, ଏହି ପ୍ରଦେଶରେ ଉପ ରାଜ୍ୟପାଳ ଭାବେ ହେଲେ ନିଯୁକ୍ତ

176

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତୀୟମାନେ ସେମାନଙ୍କର ପାରଦର୍ଶିତା ଦେଖାଇବାରେ ଲାଗିଛନ୍ତି । ସେ ଆମେରିକାର ଉପରାଷ୍ଟ୍ରପ୍ରତି କମଲା ହାରିସ୍ ହୁଅନ୍ତୁ କି ଅରୁଣା ମିଲର । ଜଣଙ୍କ ପରେ ଜଣେ ଭାରତୀୟ ମହିଳାଙ୍କ କୃତିତ୍ୱ ଏବେ ବିଶ୍ୱ ଦେଖୁଛି । ଏହି କ୍ରମରେ ଅରୁଣା ମିଲର ନାମକ ଜଣେ ଭାରତୀୟ ମହିଳା ଏବେ ଆମେରିକାର ମେରିଲାଣ୍ଡରେ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ହୋଇଥିବା ଭୋଟିଂରେ ଆଶାତୀତ ସଫଳତା ହାସଲ କରିଥିଲେ ଅରୁଣା ମିଲର ।

ଅରୁଣା ମିଲର ବୁଧବାର ଦିନ ଏନେଇ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଅନ୍ୟ କେହି ନୁହେଁ ବରଂ ମୋତେ ଭୋଟ ଦେଇଥିବା ଭୋଟରମାନଙ୍କ ସହ ମୁଁ ରହିଛି । ଆମ ସମୁଦାୟ ମୋତେ ଏହି ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରିତ କରିଥିଲା । ମୁଁ ସେମାନଙ୍କର ପ୍ରତିବଦ୍ଧତା ଓ ସମର୍ଥନ ପାଇଁ ସେମାନଙ୍କ ନିକଟରେ ଚିର ଋଣି ହୋଇ ରହିବି ।

୫୮ ବର୍ଷିୟା ଅରୁଣା ବିଶେଷ ଭାବେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ । ହେଲେ ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ତାଙ୍କ ପରିବାର ଆମେରିକା ପଳାଇଯାଇଥିଲେ । ୧୯୮୯ ରେ ଅରୁଣା ମିସୋରୀ ବିଜ୍ଞାନ ଓ ପ୍ରଜ୍ୟୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିବିଲ ଇଂଜିନିୟରିଂ ସହ ସ୍ନାତକ ଉପାଧି ହାସଲ କରିଥିଲେ । ୨୦୧୦ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ମେରିଲାଣ୍ଡ ହାଉସ ଅଫ୍ ଡେଲିଗେଟରେ ୧୫ ନମ୍ବର ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରୁଥିଲେ ।

ଅରୁଣାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ସେ ଡେବ୍ ମିଲରଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୩ ଟି ପିଲା ରହିଛନ୍ତି ।