‘ନିର୍ବାଚନ ଲଢିଲେ, ଟ୍ରେନ୍ ଆଗରେ ଫିଙ୍ଗିଦେବି’… ଭାଇରାଲ ହେବାରେ ଲାଗିଛି ପୂର୍ବ ବିଜେପି ବିଧାୟକଙ୍କ ପୁଅର ଭିଡିଓ । ଭଉଣୀ ଏବଂ ଭଣଜାକୁ ଦେଲେ ଧମକ । 

999

କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିଜେପିର ପୂର୍ବତନ ବିଧାୟକ ଜୟରାମ ଜାଟବଙ୍କ ପୁଅର ଏକ ଭିଡିଓ । ଯେଉଁଥିରେ ସେ ନିଜ ଭଉଣୀ ଆଉ ଭଣଜାକୁ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଥିବା ନଜର ଆସୁଛନ୍ତି । ତେବେ ଜୟରାମ ଜାଟବଙ୍କ ପୁଅ ବିଜେନ୍ଦ୍ର ନିଜ ଭଉଣୀକୁ ଇଲେକ୍ସନ ଲଢିବାକୁ ମନା କରୁଥିବାବେଳେ, ଇଲେକ୍ସନ ପୋଷ୍ଟର ମାରିଲେ ପରିଣାମ ଭୟଙ୍କର ହେବ ବୋଲି କହୁଛନ୍ତି ।

ଅସଲ କଥା ହେଉଛି, ବିଜେନ୍ଦ୍ରଙ୍କ ଭଉଣୀ ମୀନା କୁମାରୀ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ହୋଡିଂ ଲଗାଇବାକୁ ସନ୍ଧ୍ୟାରେ ଗଙ୍ଗା କୂଳରେ ପହଞ୍ଚିଥିଲେ । ହେଲେ ସେତେବେଳେ ସେଠାରେ ତାଙ୍କ ଭାଇ ବିଜେନ୍ଦ୍ର ପହଞ୍ଚିବା ସହିତ ତାଙ୍କୁ ଗାଳିଗୁଲଜ କରିଥିଲେ । ଖାଲି ସେତିକି ନୁହେଁ, ପୋଷ୍ଟର ଲଗାଇବା ପରିଣାମ ଭୟଙ୍କର ହେବ ବୋଲି ଧମକ ମଧ୍ୟ ଦେଇଛନ୍ତି । ମୀନା କୁମାରୀଙ୍କ ପୁଅ ବିଶାଲ ଏହାପରେ ଏନେଇ ମାଲାଖେଡା ପୋଲିସରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ କିନ୍ତୁ କୌଣସି ପ୍ରକାର ସାହାଯ୍ୟ କରିନଥିବା ଜଣାପଡିଛି ।

ମୀନା କୁମାରୀଙ୍କ କହିବା କଥା, ବିଜେନ୍ଦ୍ର ତାଙ୍କ ପୁଅକୁ ମାରପିଟ୍ କରିବା ସହିତ ଗାଳି କରିଛନ୍ତି । ତା ସହିତ ତାକୁ ଟ୍ରେନ୍ ଆଗରେ ଫିଙ୍ଗି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ମୀନା ଆହୁରି ମଧ୍ୟ କହିଛନ୍ତି ଯେ, ଗଲା ୨୦ ବର୍ଷ ଧରି ସେ ତାଙ୍କ ବାପ ଘରକୁ ଯାଉନାହାଁନ୍ତି । ହେଲେ ଏବେ କିନ୍ତୁ ତାଙ୍କ ଭାଇ ତାଙ୍କୁ ଖୁଲମଖୁଲା ଧମକ ଦେଉଛନ୍ତି ।

ଅନ୍ୟପଟେ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ଯୋଗେଶ ମିଶ୍ର ଏହି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି । ତାଙ୍କ କହିବା କଥା, ଅନୁଶାସନର ପାଠ ପଢାଉଥିବା ବିଜେପିର ସ୍ଥିତି ଏବେ ଖରାପ ହେବାକୁ ଲାଗିଲାଣି । ନିର୍ବାଚନ ଲଢିବାର ଅଧିକାର ସମସ୍ତଙ୍କ ପାଖରେ ଅଛି । ହେଲେ ଜଣେ ବିଜେପି ନେତାଙ୍କ ପୁଅ ତାଙ୍କ ଭଉଣୀକୁ ନିର୍ବାଚନ ଲଢିବାକୁ ମନା କରିବା କେତେ ଠିକ୍ ସେ ନେଇ ସେ ପ୍ରଶ୍ନ କରିଛନ୍ତି ।