ଗାଁ ହସପିଟାଲରେ ମିଳିବ ଡାଇଲିସିସ, ସିଟି ସ୍କାନ, ଏମଆରଆଇ ସୁବିଧା: ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁବିଧା ଉପଲବ୍ଧ କରାଇବା ପାଇଁ ନୂଆ ସରକାରଙ୍କ ନିଷ୍ପତ୍ତି

296

କନକ ବ୍ୟୁରୋ: ଗାଁରେ ଥିବା ସରକାରୀ ହସ୍ପିଟାଲରେ ମିଳିବ ଏମଆର ଆଇ ଓ ସିଟି ସ୍କାନ ଭଳି ସେବା । ସାଧାରଣ ଲୋକ କିଭଳି ଦୂରଦୂରାନ୍ତକୁ ନଯାଇ ସ୍ଥାନୀୟ ଅଂଚଳରେ, ସରକାରୀ ଡାକ୍ତରଖାନାରେ ଡାଇଲିସିସ ଏବଂ ସିଟି ସ୍କାନ ଭଳି ସେବା ପାଇପାରିବେ ଏଥିପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ସରକାରଙ୍କ ତରଫରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ, ସିଟି ସ୍କାନ ଓ ଏମଆରଆଇ ଭଳି ପରୀକ୍ଷା ସୁବିଧା ଉପଲବ୍ଧ ହେବ । ସରକାରୀ ଏବଂ ବେସରକାରୀ ସହଭାଗୀତାରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଏଥିପାଇଁ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଂଚ ନେଇ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ସେବା ପ୍ରଦାନକାରୀ ସଂସ୍ଥା ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କର ସମୟ ସମୟରେ ଯାଂଚ ହେବ ବୋଲି ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଉପାନ୍ତ ଅଂଚଳ ହେଉ ଅବା ଜିଲ୍ଲା ଗୁଡିକରେ ଅନେକ ସମୟରେ ଲୋକମାନେ ସିଟି ସ୍କାନ ଭଳି ସେବା ପାଇ ପାରୁନାହାନ୍ତି । ଯଦି ସରକାର ଏହି ସେବାକୁ ଭଲ ଭାବେ କାର୍ଯ୍ୟକାରୀ କରିବେ ତାହାଲେ ଅନେକ ଲୋକ ଉପକୃତ ହେବେ ।