ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା: ପ୍ରଥମ ବିମାନ ଉଡାଣ ଝୁଣ୍ଟୁଥିବା ବେଳେ ଦ୍ୱିତୀୟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

221

କନକ ବ୍ୟୁରୋ: ଜୟପୁରରୁ ଭୁବନେଶ୍ୱରକୁ ଦ୍ୱତୀୟ ବିମାନ ସେବା ଯୋଗାଇବା ପାଇଁ ସରକାର ଚିନ୍ତା କୁରଥିବା ବେଳେ ପ୍ରଥମ ବିମାନ ସେବା ଆଠେଂଇବାକୁ ବସିଲାଣି । ଏବେ ସପ୍ତାହକୁ ୬ ଦିନ ପରିବର୍ତେ ମାତ୍ର ୩ ଦିନ ଉଡୁଛି ବିମାନ । ଫଳରେ ଯାତ୍ରା କରି ନପାରି ଫେରୁଛନ୍ତି ଯାତ୍ରୀ । ବର୍ତମାନ ସ୍ଥିତିକୁ ଦେଖି, ସ୍ଥାନୀୟ ଲୋକ କହୁଛନ୍ତି, ଏୟାର ଓଡ଼ିଶା ବିମାନ ସେବା ଭଳି ଦଶା ଭୋଗିବନି ତ ଜୟପୁର ବିମାନ ସେବା ।

ଜୟପୁର ବିମାନବନ୍ଦର ଟିକେଟ କାଉଁଟରରେ ଟିକେଟ ମିଳୁନାହିଁ, ଫେରୁଛନ୍ତି ଯାତ୍ରୀ । କାରଣ ଜୟପୁରରୁ ଭୁବନେଶ୍ୱରକୁ ବିମାନ ଯେତିକି ଉଡ଼ୁନି ତାଠାରୁ ଅଧିକ ଝୁଂଟୁଛି । କେତେବେଳେ ବର୍ଷା ପାଇଁ ତ ଆଉ କେତେବେଳେ ମେଂଟେନାନ୍ସ ପାଇଁ ଜୟପୁରରୁ ବିମାନ ଉଡାଣ ବନ୍ଦ ରହୁଛି । ସପ୍ତାହକୁ ୬ ଦିନ ବଦଳରେ ୩ ଦିନ ବିମାନ ସେବା ମିଳୁଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୦୨୨ ଅକ୍ଟୋବର ୩୧ ତାରିଖରୁ ଜୟପୁରରୁ ବିମାନ ସେବା ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିମାନ ବନ୍ଦରରୁ ଥରକେ ୯ ଜଣ ଯାତ୍ରୀ ଭୁବନେଶ୍ୱରକୁ ଯାଉଛନ୍ତି ଆଉ ଭୁବନେଶ୍ୱରରୁ ୯ ଜଣ ଯାତ୍ରୀ ହିଁ ଆସୁଛନ୍ତି । ଜୟପୁର ବିଧାୟକ ତାରା ବାହିନିପତି କହିଛନ୍ତି ଅଧିକ ସିଟ ବିଶିଷ୍ଟ ବିମାନ ଚଳାଚଳ ପାଇଁ ସେ ବିଧାନସଭାରେ ଦାବି କରିଛନ୍ତି । ସେହିପରି କୋରାପୁଟ ଜିଲ୍ଳାପାଳ କହିଛନ୍ତି, ଦ୍ୱତୀୟ ଉଡ଼ାଣ ପାଇଁ ବିମାନ କିଣା ସରିଛି । ଭୁବନେଶ୍ୱରରେ ଅଛି, ଡ଼ିଜିସିଏର ଅନୁମତି ପାଇଁ ବିମାନ ଉଡାଣ ଅଟକି ଯାଇଛି ।

ଜୟପୁରରୁ ଦ୍ୱତୀୟ ବିମାନ ଉଡ଼ିବ ବୋଲି ଗତବର୍ଷ ଡିସେମ୍ବର ୨୨ ତାରିଖରେ ଟ୍ୱିଟ୍ କରି ଜଣାଇଥିଲେ ମନ୍ତ୍ରୀ ଟୁକୁନି ସାହୁ । ହେଲେ ଏବେ ପ୍ରଥମ ବିମାନଟି ସଠିକ୍ ଢଙ୍ଗରେ ଉଡୁନଥିବାରୁ ଦ୍ୱିତୀୟ ବିମାନ କଥା ଚିନ୍ତା କରିପାରୁନାହାନ୍ତି ଯାତ୍ରୀ ।