ଗଂଜାମ ଛତ୍ରପୁରରେ ଝିମିଟି ଖେଳରୁ ମହାଭାରତ: କ୍ରିକେଟ୍ ପଡିଆରେ କଥା କଟାକଟି, ଫେରିବା ବାଟରେ ଯବାନଙ୍କୁ ମରଣାନ୍ତକ ଆକ୍ରମଣ

953

କନକ ବ୍ୟୁରୋ: କ୍ରିକେଟ୍ ଖେଳକୁ ମନୋରଞ୍ଜନର ଏକ ମାଧ୍ୟମ ବୋଲି କୁହାଯାଏ । କିନ୍ତୁ କ୍ରିକେଟ ଖେଳରୁ ଯେ ମହାଭାରତ ହେବ, ଜଣଙ୍କ ଜୀବନ ଚାଲିଯିବ, ଏକଥା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ସେମିତି ଏକ ଛାତିଥରାଇ ଦେବା ଭଳି ଘଟଣା । କ୍ରିକେଟ ଖେଳ ବେଳେ ସାମାନ୍ୟ ବଚସାରୁ ଜଣେ ଯବାନଙ୍କୁ ଦୁବୃର୍ତମାନେ ହତ୍ୟା କରିଥିବା ଅଭିଯୋଗ ଆସିଛି ।

ଝିମିଟି ଖେଳରୁ ମହାଭାରତ । କ୍ରିକେଟ୍ ପଡିଆରେ ସାମାନ୍ୟ କଥା କଟାକଟି ଓ ବଚସାକୁ ନେଇ ଯବାନ ଯବାନ ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି କିଛି ଦୁବୃର୍ତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳରେ ଘଟିଛି ଏହି ଛାତିଥରା, ଲୋମଟାଙ୍କୁରା ଘଟଣା ।

ରବିବାର ସନ୍ଧ୍ୟା
ସ୍ଥାନ – ହରିପୁର ଛକ, ଛତ୍ରପୁର
ପୂର୍ବରୁ ଛକି ରହିଥିବା କିଛି ଦୁବୃର୍ତ ଡିଲେଶ୍ୱରଙ୍କ ଉପରେ ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଡିଲେଶ୍ୱରଙ୍କ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମୁପର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଚାଲିଯାଇଛି ଡିଲେଶ୍ୱରଙ୍କ ଜୀବନ ।

ଯବାନଙ୍କ ମୃତ୍ୟୁ ପରେ ଚାରିଆଡେ ଚହଳ ପଡିଛି । ଜଣେ ଯବାନଙ୍କୁ କେମିତି ଦୁବୃର୍ତମାନେ ହତ୍ୟା କଲେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ଡିଲେଶ୍ୱରଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ ଅନୁସାରେ, ଗୋପାଳପୁରରେ ହେଉଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଡିଲେଶ୍ୱର । ସେହି ସମୟରେ କୌଣସି କାରଣରୁ ମ୍ୟାଚରେ ହାରି ଯାଇଥିବା ଦଳର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା । ତାପରେ ଫେରିବା ବାଟରେ ଡିଲେଶ୍ୱରଙ୍କୁ ଆକ୍ରମଣ କରିଥିଲେ କିଛି ଦୁବୃର୍ତ ।

ଅନ୍ୟପଟେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ସେଦିନର ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୋଜିବା ସହ ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି ଗଞ୍ଜାମ ପୋଲିସ ।

ଡିଲେଶ୍ୱରଙ୍କ ମୃତ୍ୟୁ ପରେ ବାପାଙ୍କୁ ହରାଇଛି ମାତ୍ର ୧୦ଦିନ ତଳେ ଜନ୍ମ ନେଇଥିବା କୁନି ର୍ଝିଅ । ଆଉ ବେସାହାରା ହୋଇ ଯାଇଛି ପୂରା ପରିବାର । ଏହି ଖବର ଆସିବା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।