ତେଜସ୍ୱୀଙ୍କୁ ଭେଟିବା ପରେ ଷ୍ଟଲ ଫେରିପାଇଲେ ‘ଗ୍ରାଜୁଏଟ୍ ଚାୟବାଲି’ । ନଗର ନିଗମ ଚଢାଇଥିଲା ବୁଲଡୋଜର ।

565

କନକ ବ୍ୟୁରୋ: ପାଟଣାର ‘ଗ୍ରାଜୁଏଟ୍ ଚା’ବାଲି’ ଭାବେ ଜଣାଶୁଣା ପ୍ରିୟଙ୍କାଙ୍କ ଦୁଃଖ ବୁଝିଲା ପ୍ରଶାସନ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କ ପାଖରେ ଗୁହାରୀ କରିବା ପରେ ନିଜ ଚା’ ଷ୍ଟଲକୁ ଫେରିପାଇଛନ୍ତି ପ୍ରିୟଙ୍କା ।

ଗୁରୁବାର ପାଟଣା ନଗର ନିଗମ ଜବରଦଖଲ ହଟାଇବା ଅଭିଯାନରେ ପ୍ରିୟଙ୍କାଙ୍କ ଚା’ ଷ୍ଟଲକୁ ବି ଜବତ କରିନେଇଥିଲା । ଏହାପରେ ପ୍ରିୟଙ୍କା କାନ୍ଦି କାନ୍ଦି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ପହଞ୍ଚିଥିଲେ । ପ୍ରିୟଙ୍କାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନଗର ନିଗମ ଡେପୁଟି କମିଶନର ତାଙ୍କୁ ସେ ସ୍ଥାନରୁ ନଉଠାଇବାକୁ ଆଶ୍ୱାସନା ଦେଇଥିବା ସହ ତାଙ୍କୁ ଲାଇସେନ୍ସ ମଧ୍ୟ ଦେଇଥିଲେ । ଏହା ସତ୍ତେ୍ୱ କାହିଁକି ତାଙ୍କ ଷ୍ଟଲକୁ ଉଠାଇ ନିଅଗଲା ବୋଲି ପ୍ରିୟଙ୍କା କାନ୍ଦି କାନ୍ଦି ତେଜସ୍ୱୀଙ୍କୁ କହିଥିଲେ । ଏହାପରେ ତାଙ୍କୁ ତାଙ୍କର ଷ୍ଟଲକୁ ଫେରାଇ ଦିଆଯାଇଛି ।

ପ୍ରିୟଙ୍କାଙ୍କ ଗୁପ୍ତା ବିହାରର ପୂର୍ଣ୍ଣିୟା ଜିଲ୍ଲାର ବାସିନ୍ଦା । ବାରାଣାସୀର ମହାତ୍ମା ଗାନ୍ଧୀ ବିଦ୍ୟାପୀଠରୁ ବାଣିଜ୍ୟରେ ସ୍ନାତକ କରିବା ପରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ବାରମ୍ବାର ବିଫଳ ହେବା ପରେ ନିଜ ସ୍ୱାବଲମ୍ବୀ ହେବାକୁ ଚା’ ଷ୍ଟଲ କରିଥିଲେ । ଏଥିରୁ ଉପାର୍ଜିତ ଅର୍ଥରୁ ସେ ପରିବାରକୁ ସାହାଯ୍ୟ କରୁଥିଲେ । ତାଙ୍କର ଏହି ଟି ଷ୍ଟଲ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଥିଲା ।