କଟକ ରାସ୍ତାରେ ବାଲି ପଡିଲେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନୁନଥିବା ବାଲି ଠିକାଦାରଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ପାଇଁ କଟକ ମେୟରଙ୍କ ଦାବି

172

କନକ ବ୍ୟୁରୋ: ଵାଲିଘାଟ ଠିକାଦାର ମାନୁନାହାନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ପ୍ରଶାସନ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ପରାମର୍ଶ ଦେଇଛନ୍ତି ସିଏମସି ମେୟର ସୁବାଷ ସିଂ। ଵାଲି ଚାଲାଣ ଯୋଗୁଁ ରାସ୍ତା ଘାଟରେ ଗମନାଗମନ ଅସୁବିଧା ହେଉଛି । ରାସ୍ତାରେ ପଡୁଥିବା ଵାଲି ସଫା କରୁନାହାନ୍ତି, ଠିକାଦାର । ଵାଲି ସଫା ନକରିଵା ପର୍ଯ୍ୟନ୍ତ ବାଲି ଚାଲାଣ ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ ସିଏମସି ଵାଲି ସଫା କରୁଥିବା ଜଣାପଡିଛି ।

ଵାଲିଘାଟ ଠିକାଦାର ଓ ଵାଲି ମାଫିଆଙ୍କ ଆଗରେ କଟକ ଜିଲ୍ଲା ପ୍ରଶାସନ ନାଚାର। ନଦୀରୁ ଵାଲି ଉଠାଣ ଯୋଗୁଁ କଟକ ସହର ରାସ୍ତାଘାଟରେ ବାଲି ଜମୁଛି । ଠିକାଦାର ନିଜ ଖର୍ଚ୍ଚରେ ରାସ୍ତା ସଫା କରିଵା ପାଇଁ ନିର୍ଦ୍ଦେଶ ରହିଛି । ରାସ୍ତା ସଫା ନହେଵା ପର୍ଯ୍ୟନ୍ତ ଵାଲି ଗାଡ଼ି ଗଡ଼ିବ ନାହଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ନିଲାମଧାରି ରାସ୍ତାରୁ ଵାଲି ଉଠାଉ ନାହାନ୍ତି କି ଵାଲି ଚାଲାଣ ଵନ୍ଦ କରୁନାହାନ୍ତି। ଫଳରେ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ରାସ୍ତାକଡରୁ ବାଲି ସଫେଇ କାର୍ଯ୍ୟକ୍ରମ ସିଏମସି ଆରମ୍ଭ କରିଛି । ସିଏମସି ମେୟର କହିଛନ୍ତି, ଵାଲି ମାଫିଆ ରାସ୍ତା ସଫା ନକରିବାରୁ ସିଏମସି କରୁଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ଵାଲି ଘାଟ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵା ପାଇଁ ମେୟର ଦାଵି କରିଛନ୍ତି ।

ଅନ୍ୟପଟେ ସିଏମସି କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ରାସ୍ତା ସଫା କରିବା ନିୟମ ରହିଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ସୁଇପିଙ୍ଗ ମେସିନ୍ ମଧ୍ୟ ଆସିଛି । ମାତ୍ର ନିୟମିତ ବ୍ୟବଧାନରେ ରାସ୍ତା ସଫା ହେଉନଥିବାରୁ ଵାଲି ଜମା ହୋଇ ରହୁଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ସେପଟେ ସେ ସଂପର୍କରେ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ।