ମା’କୋଳକୁ ଫେରିଲା ଚୋରି ଶିଶୁପୁତ୍ର । ମୋବାଇଲ ଟ୍ରାକ୍ କରି ପିଲାକୁ ଉଦ୍ଧାର କଲା ପୋଲିସ ।

ଚିକିତ୍ସାଳୟରୁ ଚୋରି ହୋଇଥିଲା ଶିଶୁପୁତ୍ର ।

467

କନକ ବ୍ୟୁରୋ: ମା’ କୋଳକୁ ଫେରିଲା ଚୋରୀ ଶିଶୁପୁତ୍ର । ଡାକ୍ତରଖାନା ଏସଏନସିୟୁରୁ ଶିଶୁପୁତ୍ରକୁ ଚୋରୀ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ମୋବାଇଲ୍ ଟ୍ରାକ କରି ଅଭିଯୁକ୍ତ ପାଖରେ ପହଞ୍ଚିି ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ଶିଶୁ ପୁତ୍ରକୁ ଆଜି ଭୋରୁ ଦୁର୍ଗାଦେବୀରୁ ଉଦ୍ଧାର କରାଯାଇଛି । ଏହାସହ ପିଲାଟିକୁ ନେଇ ଯାଇଥିବା ମହିଳାଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ । ତେବେ ସଂପୃକ୍ତ ମହିଳା ଜଣଙ୍କ ନିଜ ଝିଅକୁ ଏସ୍ଏନସିୟୁ ଭିତରେ ଛାଡି ଶିଶୁପୁତ୍ରକୁ ନେଇ ଚାଲି ଯାଇଥିଲେ । ଏନେଇ ଶିଶୁପୁତ୍ରଙ୍କ ପରିବାର ଲୋକ ବାଲେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମହିଳାଙ୍କ ଶିଶୁ କନ୍ୟା ଏସ୍ଏନସିୟୁ ଭିତରେ ଚିକିତ୍ସିତ ହେଉଥିବା ବେଳେ ସେ ଡାକ୍ତରଖାନାରେ ନଥିଲେ । ତେଣୁ ତାଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା । ଏବଂ ତାଙ୍କ ମୋବାଇଲ ଟ୍ରାକ କରି ଦୁର୍ଗାପୁରରେ ପହଞ୍ଚିଥିଲା ବାଲେଶ୍ୱର ପୁଲିସ । ଯୋଜନାବଦ୍ଧ ଭାବେ ଆଜି ବଡିଭୋର ମହିଳାଙ୍କ ଘରେ ଚଢାଉ କରି ଶିଶୁପୁତ୍ରକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଛନ୍ତି । ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।