କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ

221

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି ।

ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଜାଣିବାକୁ ପାଇ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ହେଲେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କରିବାରେ ବିଳମ୍ବ କରିବା କାରଣରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକଙ୍କ ଶବକୁ କଟକ ବଡ ମେଡିକାଲକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ କଟକରେ ଅନେକ ଡ୍ରେନ ମୁକୁଳା ପଡିଛି । ଲୋକମାନେ ଯିବା ଆସିବା କରିବା ସମୟରେ ଟିକେ ଅସାବଧାନ ହେଲେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି କି ବେଳେ ବେଳେ ଲୋକଙ୍କ ଜୀବନ ଚାଲିଯାଉଛି । ତେଣୁ ତୁରନ୍ତ ପ୍ରଶାସନ ଏହା ଉପରେ ପଦକ୍ଷେପ ନେବା ସହ ଡ୍ରେନର ମୁ୍କୁଳା ସ୍ଥାନରେ ବ୍ୟାରିକେଟ କରିବାକୁ ଦାବି କରିଛନ୍ତି ।