ସରକାରୀ ବିଦ୍ୟାଳୟର ବିକଳ ଚିତ୍ର: ପଞ୍ଚାୟତ ପକ୍ଷରୁ ଭାଙ୍ଗି ଦିଆଯାଇଛି ଶ୍ରେଣୀଗୃହ । ଅସ୍ୱାସ୍ଥ୍ୟକର ପରିବେଶରେ ଗଛମୂଳେ, ପଲିଥିନ ତଳେ ବସୁ ପଢୁଛନ୍ତି କୁନି କୁନି ପିଲା

17

କନକ ବ୍ୟୁରୋ: ଗଛମୂଳେ ବିଦ୍ୟାଳୟ । ସ୍କୁଲ ଘର ନିର୍ମାଣରେ ଚଞ୍ଚକତା ଯୋଗୁଁ ପଲିଥିନ ତଳେ ପାଠପଢୁଛନ୍ତି କୁନି କୁନି ପିଲା। ବିଦ୍ୟାଳୟ ବୋଲି କୁହାଯାଉଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖେଲ ଆପଣମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ପିଲାଙ୍କ ପାଇଁ ଏଠି କେମିତି ଶୈଖିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ପ୍ରଶ୍ନ ଉଠିବ ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଗଛମୂଳେ ପାଲତଳେ ପାଠପଢ଼ା । କେନ୍ଦ୍ରାପଡା ରାଜକନିକା ବ୍ଲକ ଅବଦୁଲପୁରୁ ପଞ୍ଚାୟତର ସରକାରୀ ଶାସ୍ତ୍ରିଜୀ ପ୍ରାଥମିକ ବିଦ୍ୟାଳୟ। ୧୯୭୧ ମସିହାରୁ ସ୍ଥାପିତ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୯୬ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଆଗରୁ ବିଦ୍ୟାଳୟର ଭଲ ଘର ଥିଲା। ପିଲାମାନେ ଶ୍ରେଣୀଗୃହରେ ବସି ପଢୁଥିଲେ। ହେଲେ ପଞ୍ଚାୟତ ପକ୍ଷରୁ ୨୦୦୭ରେ ନିର୍ମାଣ ହୋଇଥିବା ୨ଟି ଶ୍ରେଣୀଗୃହ ଛାତକୁ ଭାଙ୍ଗି ଦିଆଯାଇଛି। ଫଳରେ ଏଭଳି ସ୍ଥିତି ଉପୁଜିଛି । ପିଲାଙ୍କୁ ଗଛମୂଳେ, ପଲିଥିନ ତଳେ ବସିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି । ସେପଟେ ସରପଞ୍ଚଙ୍କ ସ୍ୱାମୀ ଏହାକୁ ଖଣ୍ଡନ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ, ସ୍କୁଲର ଘର ଭାଙ୍ଗିବା ଆଗରୁ ସ୍କୁଲ ପରିଚାଳନା କମିଟିର ଅନୁମତି ନିଆଯାଇନାହିଁ କି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚରା ଯାଇନାହିଁ। ୨୦୦୭ ପୂର୍ବରୁ ଅସୁରକ୍ଷିତ ଘରକୁ ନଭାଙ୍ଗି ଭଲ ଘରର ଛାତକୁ ଭାଙ୍ଗି କାମ କରାଯାଉଛି। ସରକାରୀ ଅର୍ଥ ଲୁଟ ଉଦେଶ୍ୟରେ ଏଭଳି କରାଯାଉଛି ଅଭିଯୋଗ ହୋଇଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ମଲିକ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହୁଥିବା ବେଳେ ଏବିଇଓ କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ଏସମ୍ପର୍କରେ କେହି ଜଣାଇ ନାହାନ୍ତି, କି ଘର ଭାଙ୍ଗିବା ନେଇ ତାଙ୍କ ଅଫିସ ଅନୁମାତି ଦେଇ ନାହିଁ। ସେପଟେ ବିଡ଼ିଓ କହିଛନ୍ତି, ଗ୍ରାମବାସୀ ଅଭିଯୋଗ କରିଛନ୍ତି, ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ବିପଦ ସଙ୍କୁଳ ଅବସ୍ଥାରେ ପିଲାମାନେ ବସୁଥିବାରୁ ଯଦି କିଛି ଅଘଟଣ ଘଟେ ତାହାଲେ ପ୍ରଶାସନ ଦାୟୀ ରହିବ ବୋଲି ଅଭିଭାବକ ଚେତାବନୀ ଦେଇଛନ୍ତି ।