ପାରଳାଖେମୁଣ୍ଡିରେ ଭୟଙ୍କର ଦୁର୍ଘଟଣା! ଘାଟି ତଳକୁ ଖସିପଡିଲା ଇଟା ବୋଝେଇ ଟ୍ରକ, ଚାଲିଗଲା ୯ ଜଣଙ୍କ ଜୀବନ, ପୂରା ଅଞ୍ଚଳରେ ଶୋକର ଛାୟା

100

କନକ ବ୍ୟୁରୋ : ଦୁର୍ଘଟଣା ନେଇଗଲା ୯ ଜଣଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଲୁହାଝର ଘାଟିରେ । ଇଟା ବୋଝେଇ ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୩୦ରୁ ୪୦ ଫୁଟ୍ ଘାଟି ଦଳକୁ ଖସି ପଡ଼ିଥିଲା । ଯେଉଁଥିରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ-ଅଡସୀଙ୍ଗରୁ ପାରଳାଖେମୁଣ୍ଡି ଇଟା ନେଇ ଯାଉଥିଲେ କିଛି ଲୋକ । ଯେଉଁଥିରେ କିଛି ସ୍ଥାନୀୟ ଲୋକ ବି ଟ୍ରକରେ ଯାତ୍ରା କରୁଥିଲେ । ଅଚାନକ୍ ଲୁହାଝର ଘାଟିରେ ଭାରସାମ୍ୟ ହରାଇ ବସିଥିଲା ଏହି ଟ୍ରକ୍ । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ପାରଳାଖେମୁଣ୍ଡି ହସ୍ପିଟାଲରେ ଏବଂ ଆଉ ୨ ଜଣ ବ୍ରହ୍ମପୁର ବଡ ମେଡ଼ିକାଲରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଏବେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।