ଆମେରିକା ରାଜପଥରେ ଧକ୍କା ହେଲେ ୫୦ ଗାଡି । ୩ ମୃତ, ଏକାଧିକ ଗୁରୁତର

155

କନକ ବ୍ୟୁରୋ: ଆମେରିକା ପେନସିଲଭାନିଆରେ ବରଫ ଝଡ ଦେଖିବାକୁ ମିଳିଛି । ଫଳରେ ସେଠାରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜପଥରେ ପଛକୁ ପଛ ୫୦ଟି ଗାଡି ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ପବନ ସାଙ୍ଗକୁ ଭାରି ବରଫପାତ ହେଉଥିବାରୁ ଗାଡି ଚାଳକ ନିୟନ୍ତ୍ରଣ ହରାଇଥିଲେ ଫଳରେ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

କିଛି କାର ପରସ୍ପରକୁ ଧକ୍କା ଦେବାରୁ ନିଆଁ ମଧ୍ୟ ଲାଗିଯାଇଛି । ସୋମବାର ଦିନ ପାଖାପାଖି ୧୦ଟା ସମୟରେ ଏପରି ଘଟଣା ଘଟିଛି । ବରଫ ଝଡ ସାଙ୍ଗକୁ ଏହି ଇଲାକାରେ ଜିରୋ ଭିଜିବିଲିଟି ଥିବାରୁ ଏପରି ଭ୍ରଙ୍କର ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କୁହାଯାଉଛି ଏହି ଇଲାକାରେ ଏହା ଏ ମାସର ଦ୍ୱିତୀୟ ବରଫ ଝଡ ।