ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇଲେ ୫-ଟି ସଚିବ । ନବୀନ କହିଲେ, ଲୋକଙ୍କ କଥା ବୁଝିବା ପାଇଁ ସଚିବଙ୍କୁ ସେ ପଠାଇଛନ୍ତି । ଏପଟେ ବିରୋଧୀଙ୍କ ଘନଘନ ଆକ୍ରମଣ

544

କନକ ବ୍ୟରୋ: ୫ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି । ବିଭିନ୍ନ ଜିଲ୍ଲାରେ ସଚିବ ଉନ୍ନୟନ ପ୍ରକଳ୍ପ ସମୀକ୍ଷା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏପଟେ ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ଶୁଣାଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଏହି ଅଡିଓରେ ନବୀନ କହୁଛନ୍ତି, ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ସେ ତାଙ୍କ ସଚିବଙ୍କୁ ପଠାଇଛନ୍ତି ।

  • ଦୁଇ ଦିନିଆ ବରଗଡ଼ ଗସ୍ତରେ ୫-ଟି ସଚିବ
  • ପୁଣି ଟାର୍ଗେଟ କଲେ ବିରୋଧୀ କଂଗ୍ରେସ, ବିଜେପି

ଦୁଇ ଦିନିଆ ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଅତାବିରା ସରଣ୍ଡାରୁ ସେ ଗସ୍ତ ଆରମ୍ଭ କରିଛନ୍ତି । ଦୁଇ ଦିନିଆ ଗସ୍ତ ସମୟରେ ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିବେ । ସେପଟେ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ବାସ୍ତବରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ସଚିବ ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ ଅଧିକ ଭଲ ଆୟୋଜନ କରାଯାଉଛି । ସରକାରୀ କାମ ପାଇଁ ଲୋକପ୍ରତିନିଧିଙ୍କୁ ନିୟୋଜିତ ନ କରି ଜଣେ ସଚିବଙ୍କୁ କିପରି ନିୟୋଜିତ କରାଯାଉଛି? ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ତେବେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ପୋଲିସ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୋଲିସ ଡିଜିଙ୍କୁ ପ୍ରଶ୍ନ କରିଥିଲେ । ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତେବେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପାଇଁ କ’ଣ ସୁରକ୍ଷା ବ୍ୟବସ୍ଥା ରହିବ? ଜଣେ ବ୍ୟକ୍ତି ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବାକୁ ଯିବା ବେଳେ ଏତେ ଭୟ ଓ ଅସୁରକ୍ଷିତ କାହିଁକି? ବୋଲି ସେ ପ୍ରଶ୍ନ କରିଥିଲେ । ବିଜେଡି କିନ୍ତୁ ସବୁ ଅଭିଯୋଗକୁ ତୁଛା ରାଜନୀତି କହି ଏଡାଇ ଯାଇଛି । ସରକାର ବିକାଶ କରୁଥିବାବେଳେ ବିରୋଧୀ ରାଜନୀତି କରୁଥିବା କହିଛନ୍ତି ବିଜେଡି ସାଂସଦ ।

ଏହାରି ଭିତରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘର ହାଲଚାଲରେ ‘ଅପରାଜିତାଙ୍କ ଅଡୁଆ ପ୍ରଶ୍ନ’ ନେଇ କମ୍ପନ ସୃଷ୍ଟି ହୋଇଛି । ବରିଷ୍ଠ ନେତା ବିଜୟ ମହାପତ୍ର କହିଛନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖାକୁ ସେ ଅଧ୍ୟୟନ କରିଛନ୍ତି । ସେ ସବୁ ସତ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବିରୋଧୀଙ୍କ ଅଭିଯୋଗ ଓ ଘନଘନ ପ୍ରଶ୍ନବାଣ ଭିତରେ ବରଗଡ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ସମେତ ଧର୍ମସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନ ବୁଲି ସମୀକ୍ଷା କରିଛନ୍ତି ୫-ଟି ସଚିବ । ଆସନ୍ତାକାଲି ସକାଳେ ସେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ଏଥିସହ ଗିରସୂଲ ଓ ଜିରା ନଦୀ କ୍ରସିଂ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସୋହେଲା ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ । ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ଉନ୍ନୟନ କାମର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।