ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ୩୧ ଜଣଙ୍କୁ ପୋଲିସର ପଚରାଉଚରା, ପ୍ରୀତିମାନଙ୍କ ମିଛଧରା ରିପୋର୍ଟକୁ ଅପେକ୍ଷା

97

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା । ୩୧ ଜଣଙ୍କୁ ପୋଲିସ ଜେରା କରିଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ପୁଲିସ୍ ଜାଣିପାରିନାହିଁ । ୩୧ ଜଣଙ୍କ ମଧ୍ୟରେ କଲେଜ ଛାତ୍ର, ପାଖରେ ଥିବା ହୋଟେଲ, ଦୋକାନୀ ରହିଥିବା ସୂଚନା ରହିଛି ।

ଅନ୍ୟପଟେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଉପରେ ପୁଲିସ ଅଧିକ ସନ୍ଦେହ କରୁଥିବାରୁ ଭୁବନେଶ୍ୱରସ୍ଥିତ ଏସ୍ଏଫ୍ଏସ୍ଏଲଠାରେ ତାଙ୍କର ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା କରାଯାଇଛି । ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣଙ୍କ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରିଛି । ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ ଗୁଡ଼ିକୁ ବି ଟିକିନିଖି ଯାଂଚ କରୁଛି । ଚିନ୍ମୟ ଯେଉଁସ୍ଥାନରେ ପାୱାର ଚ୍ୟାନେଲକୁ ଡେଇଁପଡିଥିଲେ ବୋଲି କୁହାଯାଉଛି ସେହି ସ୍ଥାନରେ କିଏ କିଏ ଥିଲେ । ଚିନ୍ମୟୀ ନିଜେ ଡେଇଁଥିଲେ କି ତାଙ୍କୁ କେହି ଧକ୍କା ଦେଇଥିଲା, ଚିନ୍ମୟୀଙ୍କ ସହ କି’ ସମ୍ପର୍କ ଥିଲା ଆଦି ଅନେକ ପ୍ରଶ୍ନକୁ ନେଇ ପୋଲିସ ଏବେ ଜେରା କରୁଛି । ପ୍ରୀତିମାନଙ୍କ ମିଛଧରା ପରୀକ୍ଷାର ରିପୋର୍ଟ ଆସିଲେ ଏହି ଘଟଣାର ସତ୍ୟତା ସ୍ପଷ୍ଟ ହେବ ବୋଲି ସୂଚନା ରହିଛି । ସେହିପରି ଡାଏଟମ୍ ଓ ଭିସେରା ରିପୋର୍ଟ ଆଉ ୩-୪ ଦିନରେ ଆସିପାରେ । ସେହିପରି ଶୁକ୍ରବାର ଚିନ୍ମୟୀଙ୍କ ରୁମରୁ ପୁଲିସ ଜବତ କରିଥିବା ଲାପଟପ୍, ହାର୍ଡଡିସ୍କ, ପେନଡ୍ରାଇଭ୍, ଡାଏରିକୁ ଲ୍ୟାବକୁ ପଠାଇଥିବା ଜଣାପଡ଼ିଛି ।