୨୪ ବନାମ ୩୪ : କିଏ ମାରିବ ବାଜି ? ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ପକ୍ଷଙ୍କ ବୈଠକ ଉପରେ ସମସ୍ତଙ୍କର ନଜର

295

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ଦ୍ୱିତୀୟ ମେଳି । ଆଜି ବେଙ୍ଗାଲୁରୁରେ ୨୪ ବିରୋଧୀ ଦଳଙ୍କୁ ନେଇ ବୈଠକ ହେବାର ଅଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ନେତୃତ୍ୱ ନେଉଛି କଂଗ୍ରେସ । ଆଜି ରାତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନୈଶ ଭୋଜି ରହିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀନି ପ୍ରସ୍ତୁତ କରାଯିବ । ଯେଉଁଥିରେ ନିର୍ବାଚନରେ ସିଟ୍ ଭାଗବଂଟା ନେଇ ମଧ୍ୟ ଆଲୋଚନା ହେବ ।

ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରୋନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଯୋଗଦେବେ । ୨୪ଟି ଦଳର ୩୦ରୁ ଅଧିକ ନେତା ବେଙ୍ଗାଲୁରୁରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି । ଏହି ମେଂଟକୁ ପ୍ୟାଟ୍ରୋଟିକ ଡେମୋକ୍ରାଟିକ ଆଲାଏନ୍ସ ବା ପିିଡିଏ କୁହାଯାଉଛି । ଆଉ ଏହି ପିଡିଏର ପ୍ରତିପକ୍ଷ ହେଉଛି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ବା ଏନଡିଏ । ଯାହାର ନେତୃତ୍ୱ ନେଉଛି ବିଜେପି ।

ବେଙ୍ଗାଲୁରୁ ବୈଠକରେ ଏକାଠି ହେଉଥିବା ବିରୋଧୀଙ୍କ ଭିତରେ ଅଛନ୍ତି କଂଗ୍ରେସ, ଟିଏମସି, ଡିଏମକେ, ଆପ୍, ଜେଡିୟୁ, ଆରଜେଡି, ସିପିଏମ୍, ସିପିଆଇ, ଏନସିପି, ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ପିଡିପି, ସିପିଆଇ ଏମଏଲ୍, ଜେଏମଏମ୍, ଆରଏଲଡି, ଆରଏସପି, ଆଡିୟୁଏମଏଲ୍, କେରଳ କଂଗ୍ରେସ ଏମ୍, ବିସିକେ, ଏମଡିଏମକେ, କେଡିଏମକେ, କେରଳ କଂଗ୍ରେସ(ଜେ), ଫରୱାର୍ଡ ବ୍ଲକ୍ ଆଦି ଦଳ ।

ପୂର୍ବରୁ ପାଟନାରେ ହୋଇଥିବା ବିରୋଧୀଙ୍କ ପ୍ରଥମ ବୈଠକରେ ସାମିଲ ହୋଇଥିଲେ ବି ଅସନ୍ତୁଷ୍ଟ ଥିଲା ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ପ୍ରଶାସନିକ କ୍ଷମତା ସରକାରଙ୍କର ନା ଉପ ରାଜ୍ୟପାଳଙ୍କର ତାକୁ ନେଇ ବିବାଦ ଲାଗି ରହିଛି । ସୁପ୍ରିମକୋର୍ଟ ଆପ୍ ସରକାର ସପକ୍ଷରେ ରାୟ ଦେଇଥିବା ବେଳେ କେନ୍ଦ୍ର ସରକାର ରାୟ ବିରୋଧରେ ଅଧ୍ୟାଦେଶ ଆଣି କେଜ୍ରିୱାଲ ସରକାରଙ୍କୁ ଅକଳରେ ପକାଇଛନ୍ତି । ଆଉ ଏ ଅସମୟରେ ଅନ୍ୟ ବନ୍ଧୁ ଦଳ ଗୁଡିକ ଆପର ସାଥ ଦେଉଥିବା ବେଳେ କଂଗ୍ରେସ ସମର୍ଥନ ଦେଉନଥିଲା । ଯାହାକୁ ନେଇ ଖପ୍ପା ଥିଲା ଆପ୍ ।

ହେଲେ ଏବେ ବେଙ୍ଗାଲୁରୁ ବୈଠକ ପୂର୍ବରୁ ଏ ପ୍ରସଙ୍ଗରେ କଂଗ୍ରେସ ଆଫ ସହ ଠିଆ ହୋଇଛି । ତେଣୁ ଆମ୍ ଆଦମୀ ପାର୍ଟିର ଅସନ୍ତୋଷ ଓ ଅଭିମାନ ଦୂର ହୋଇଛି । ଆଉ ଦୁଇ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଭୂମିକା ରହିଛି । ଏପଟେ ପାଟନା ବୈଠକରେ ଆରଜେଡି, ଜେଡିୟୁ ନେତୃତ୍ୱ ନେଇଥିବା ବେଳେ ଏବେ କଂଗ୍ରେସ ରହିଛି ଆଗରେ । ସେହିପରି ପ୍ରଥମ ବୈଠକରେ ଶରଦ ପାୱାର ଗୋଟିଏ ବଡ ଭୂମିକାରେ ଥିଲେ । ଏବେ କିନ୍ତୁ ତାଙ୍କ ଦଳରେ କନ୍ଦଳ ପରେ ସେ ଆପାତତଃ ଶକ୍ତିହୀନ ।

ସେପଟେ ଆସନ୍ତାକାଲି ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନ୍ସ ବା ଏନଡିଏର ବୈଠକ ଅଛି । ମଙ୍ଗଳବାର ଦିଲ୍ଲୀରେ ମେଗା ବୈଠକ ହେବ । ଏହି ବୈଠକରେ ପ୍ରାୟ ୩୦ରୁ ରାଜନୈତିକ ଦଳ ଯୋଗଦେଉଥିବା ପୂର୍ବାନୁମାନ କରାଯାଇଛି । ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧୁବେଶନ ଥିବା ବେଳେ ବିରୋଧୀ ଓ କ୍ଷମତାରେ ଥିବା ବିଜେପିର ଏହି ରଣନୀତି ଏକ ନିର୍ଣ୍ଣାୟକ ରୂପ ନେବ ବୋଲି କୁହାଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏନଡିଏର ବୈଠକରେ ଅନେକ ନୂଆ ଦଳଙ୍କୁ ଯୋଗଦେବାର ଦେଖିବାକୁ ମିଳିବ । ବିଜେପି ପକ୍ଷରୁ ଏହି ନୂଆ ଦଳମାନଙ୍କୁ ଏନଡିଏରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକ ହୋଟେଲରେ ଏହି ବୈଠକ ହେବ ।

ବିଜେପି, ଏଆଇଏଡିଏମକେ, ଶିବସେନା (ଏକନାଥ ସିନ୍ଦେ), ଏମପିପି, ଏନଡିପିପି, ଏସକେଏମ୍, ଜେଜେପି, ଆଇଏମକେଏମକେ, ଏଜେଏସୟୁ, ଆରପିଆଇ, ଏମଏନଏଫ୍, ଟିଏମସି (ତାମିଲ ମାନିଲା କଂଗ୍ରେସ୍), ଆଇପିଏଫଟି (ତ୍ରିପୁରା), ବିପିପି, ପିଏମକେ, ଏମଜିପି, ଆପନା ଦଲ, ଏଜିପି, ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ନିଶାଦ ପାର୍ଟି, ୟୁପିପିଏଲ୍, ଏଆଇଆରଏନସି, ସଂଯୁକ୍ତ (ଧିନ୍ଦଶା), ଜନସେନା (ପାୱନ କଲ୍ୟାଣ), ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଏନସିପି(ନ୍ୟାସସନାଲିଷ୍ଟ କଂଗ୍ରେସ ପାର୍ଟି ଅଜିତ୍ ପାୱାରଙ୍କ ନେତୃତ୍ୱାଧୀନ), ଲୋକ ଜନଶକ୍ତି ପାର୍ଟି (ରାମ ବଳାଶ), ଏଚଏଏମ୍, ଭିଆଇପି (ବିକାଶଶୀଳ ଇନସାନ ପାର୍ଟି), ଏସବିଏସପି ପ୍ରଭୃତି ଦଳ ଏନଡିଏ ସହ ନୂଆକରି ମିଶୁଛନ୍ତି ।

ତେବେ ବୈଠକରେ ଯୋଗ ଦେବେନି ଭାରତ ରାଷ୍ଟ୍ର ସମିତର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ, ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ନେତୃତ୍ୱାଧୀନ ତେଲୁଗୁଦେଶମ ପାର୍ଟି ଏବଂ ବାଦଲ ପାରିବାର ନେତୃତ୍ୱାଧୀନ ଶିରୋମଣି ଅକାଳୀ ଦଳ ଉଭୟ ବୈଠକରୁ ଦୂରରେ ରହିଛନ୍ତି ।