ଆଜିଠୁ ଭାରତ–ଶ୍ରୀଲଙ୍କା ଦ୍ୱିତୀୟ ତଥା ଶେଷ ଟେଷ୍ଟ : ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପିଙ୍କ୍ ବଲରେ ଖେଳାଯିବ ମ୍ୟାଚ

ପ୍ରଥମ ଟେଷ୍ଟ ଜିତି ଥିବାରୁ ସିରିଜ କ୍ଲିନ ସ୍ୱିପ ଲକ୍ଷ୍ୟରେ ରୋହିତ ବାହିନୀ

103

କନକ ବ୍ୟୁରୋ :ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ । ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପିଙ୍କ ବଲରେ ଖେଳାଯିବ ମ୍ୟାଚ୍ । ଭାରତ ପ୍ରଥମ ଟେଷ୍ଟକୁ ୩ ଦିନ ଭିତରେ ଜିତି ୧-୦ରେ ଆଗୁଆ ରହିଛି । ତେଣୁ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ୧-୧ରେ ବରାବର ରଖିବାକୁ ଚେଷ୍ଟା କରିବ । ରୋହିତ ଶର୍ମା ତାଙ୍କ କ୍ୟାରିୟରର ୪ ଶହ ତମ ଟେଷ୍ଟ ଖେଳିବେ ।

ସେହିପରି ବିରାଟ କୋହଲୀଙ୍କ ବ୍ୟାଟର ଶତକୀୟ ଇନିଂସକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ଦୀର୍ଘ ୨୮ ମାସ ହେବ କୋହଲୀଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ଦେଖିବାକୁ ମିଳିନାହିଁ । ଆଜିର ଟେଷ୍ଟ ପିଙ୍କ ବଲରେ ଖେଳାଯିବାକୁ ଥିବାରୁ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ କିମ୍ବା ମହମ୍ମଦ ସିରାଜଙ୍କୁ ଜୟନ୍ତ ଯାଦବଙ୍କ ବଦଳରେ ଖେଳଯିବାର ସମ୍ଭାବନା ରହିଛି । ଏହି ଦୁଇ ଖେଳାଳି ଦିବାରାତ୍ର ଟେଷ୍ଟରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି । ମୋହାଲିରେ ଜୟନ୍ତ ଯାଦବ ଭଲ ପ୍ରଦର୍ଶନ କରିନଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିନପାରେ ।

ଭାରତ ଶେଷ ଥର ପାଇଁ ପାଖାପାଖି ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ଧୂଳି ଚଟାଇଥିଲା । ଏହି ମ୍ୟାଚ୍ ମାତ୍ର ଦୁଇ ଦିନ ଭିତ‌ରେ ଶେଷ ହୋଇଯାଇଥିଲା । ସେଥିପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭାରତ ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ୍‌କୁ ତିନି ଦିନ ଭିତରେ ଜିତି ନେଇଥିବା ଭାରତ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍‌କୁ ଜିତି ଦୁଇ ଟିକିଆ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ ।

ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ଯାହାକୁ ଭାରତ ଅତି ସହଜରେ ଜିତି ନେଇଥିଲା । ୨୦୨୦ରେ ଆଡିଲେଡ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍‌ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହୋଇଥିଲା। ଯାହା ଟେଷ୍ଟ୍ କ୍ରିକେଟ୍‌ରେ ତା’ର ସର୍ବନିମ୍ନ ଦଳଗତ ସ୍କୋର ଥିଲା ।

ସେପଟେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ଦ୍ବାରରେ ପହଞ୍ଚିଛନ୍ତି। ବେଙ୍ଗାଲୁରୁରେ ଶନିବାର ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଖେଳିଲେ ସେ ନବମ ଭାରତୀୟ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେବେ। ରୋହିତ ଏ ପର୍ଯ୍ୟନ୍ତ ୪୪ ଟେଷ୍ଟ୍‌, ୨୩୦ ଦିନିକିଆ ଏବଂ ୧୨୫ ଟ୍ବେଣ୍ଟି-୨୦ ସହ ମୋଟ ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।