ଜମୁଛି ବିଶ୍ୱପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା : ଘଣ୍ଟ, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ସହର

141

କନକ ବ୍ୟୁରୋ : ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ନନ୍ଦପଡାର ଦେବାଧିଦେବ ମହାଦେବ ଓ ଜଗତଜନନୀ ମା’ ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି । ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ଶନିବାର ରାତିରେ ସଂପନ୍ନ ହୋଇଛି । ରାତି ୮ଟାରେ ଦେବ ଦେବ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା ।

ଏହା ପରେ ବରପିତା ଓ ସପ୍ତରୁଷି ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାବଦେବଙ୍କ ପାଇଁ କନ୍ୟା ଅନ୍ୱେଷଣର ପଟୁଆର । କନ୍ୟା ଖୋଜି ଖୋଜି ବରପକ୍ଷ ପହଞ୍ଚିଥିଲେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ ରାଜେନ୍ଦ୍ର ନନ୍ଦ ଓ ସୁଲୋଚନା ନନ୍ଦଙ୍କ ଘରେ । ସେଠାରେ ବରପକ୍ଷ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବା ଖବର ପାଇ ବରପକ୍ଷ ଆସିଥିବା କହିଥିଲେ ।

କନ୍ୟାପକ୍ଷ ରାଜି ହେବା ପରେ ସପ୍ତରୁଷିଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲ ପତ୍ର, ଫୁଲ ଏବେ ଗୋଟିଏ ବିଡା ସରଗି ପତ୍ର ଦେଇ ବୋହୂ ହିସାବରେ ବାଛିଛନ୍ତି ବରପିତା । ଏଥିସହ ମହାଦେବଙ୍କ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ମହାଦେବଙ୍କ ବାହାଘର ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ସଂପୂର୍ଣ୍ଣ ଲୋକାଚାରର ଦୁଇ ବର୍ଷ ପରେ ଆଡମ୍ବର ଭାବେ ଶୀତଳଷଷ୍ଠୀ ଯାତ୍ରା ହେଉଥିବାରୁ ଲୋକ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।