କନ୍ୟାଯାତ୍ରୀଙ୍କୁ ନେଇ ଫେରୁଥିବା ମିନିବସ୍ ସହ ମୁହାଁମୁହିଁ ଧକ୍କା ହେଲା ଓଏସଆରଟିସି ବସ୍ । ୧୨ ଜଣଙ୍କ ମୃତ୍ୟୁ, ୮ ଗୁରୁତର । ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

323

କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ବସ ସହ କନ୍ୟାକୁ ଛାଡି ବ୍ରହ୍ମପୁରରୁ ଫେରୁଥିବା ମିନି ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇଥିଲେ । ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୩ ଲକ୍ଷ ଲେଖାଁଏ ଓ କେନ୍ଦ୍ର ସରକାର ୨ ଲକ୍ଷ ଲେଖାଁଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ତେବେ ଯେଉଁଠି କିଛି ଘଣ୍ଟା ପୂର୍ବରୁ ବାହାଘର ହୋମଯଜ୍ଞ ହେଉଥିଲା, ସେହି ଗାଁରେ ଜଳିଛି ୧୨ ଜଣଙ୍କ ଜୁଇ । ଝିଅର ବିବାହ ପାଇଁ ଉତ୍ସବମୁଖର ହୋଇଥିବା ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । କାହା ଆଖିରୁ ଲୁହ ଶୁଖୁନି । ଝିଅ ବାହାଘର ପାଇଁ ବନ୍ଧୁବାନ୍ଧବଙ୍କ ଗହଳିରେ ହସଖୁସିରେ ଘର ଫାଟି ପଡୁଥିଲା, ରାତି ପାହିଲା ବେଳକୁ କାନ୍ଦ ବୋବାଳିରେ ଫାଟି ପଡିଛି । କେବଳ ଏହି ଅଞ୍ଚଳକୁ ନୁହେଁ, ସାରା ରାଜ୍ୟକୁ ଚହଲାଇ ଦେଇଛି ଏହି ଛାତିଥରା ଦୁର୍ଘଟଣା ।

  • ରବିବାର, ରାତି ପ୍ରାୟ ସାଢ଼େ ଗୋଟାଏ
  • ସ୍ଥାନ: ସାନଖେମୁଣ୍ଡି କଲେଜ ଛକ
  • ମିନି ବସକୁ ଧକ୍କା ଦେଲା ଓଏସଆରଟିସି ବସ୍

ଦିନ ବେଳା ଝିଅର ବିବାହ ପରେ ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଯାଇଥିଲେ ବ୍ରହ୍ମପୁରର ବ୍ରହ୍ମାନଗର । କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୨୦ ଜଣ ଫେରୁଥିଲେ । ସେମାନେ କେବେ ବି ଭାବିନଥିଲେ, କାଳ ସେମାନଙ୍କୁ ଅପେକ୍ଷା କରିଛି । କ୍ଲାନ୍ତି ଯୋଗୁଁ ସମସ୍ତଙ୍କୁ ଛାଇ ଦିନ ଲାଗି ଆସିଥିଲା । ଘରେ ପହଞ୍ଚିବାକୁ ମାତ୍ର ୭ କିଲୋମିଟର ଥିଲା, ହେଲେ ହଠାତ୍ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା । ରାତି ପ୍ରାୟ ସାଢେ ଗୋଟାଏ ବେଳେ ମଳାଭଞ୍ଜା ନିକଟରେ ମିନି ବସ୍ ପହଞ୍ଚିଥିଲା । ଆଉ ସେତିକି ବେଳେ ଅପରପାଶ୍ୱର୍ ଦ୍ରୁତ ଗତିରେ ଆସୁଥିବା ଓଏସଆରଟିସି ବସ୍ ମିନିବସକୁ ମୁହାଁମୁହିଁ ଧକ୍କା ଦେଇଥିଲା ।

ଭୟଙ୍କର ଶବ୍ଦରେ ଆଖପାଖ ଅଞ୍ଚଳ ଫାଟି ପଡ଼ିଥିଲା । ମିନିବସଟି ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଦୁଃର୍ଘଟଣା ସ୍ଥଳରେ ଖଣ୍ଡ ବିଖଣ୍ଡିତ ମୃତଦେହ ଏଣେତେଣେ ପଡିଥିଲା । ରାତିର ଅନ୍ଧାର ଭିତରେ ଶୁଭୁଥିଲା ଆହତଙ୍କ କରୁଣ ଚିକ୍ରାର । ସ୍ଥାନୀୟ ଲୋକ, ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । କିଛି ଗୁରୁତରଙ୍କୁ ଏସସିବି ଓ ଏମସ ଅଣାଯାଇଥିଲା ।

ରବିବାର ଦିନ ଖଣ୍ଡଦେଉଳି ଗାଁର ସ୍ୱର୍ଗତଃ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନାଲିଙ୍କ ବିବାହ ହୋଇଥିଲା । କିନ୍ତୁ କିଛି ଘଣ୍ଟା ପରେ ପରିବାର ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ଗୋଟିଏ ପରିବାର ଓ ନିକଟ ସଂପର୍କୀୟ ୧୨ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ସୋନାଲିଙ୍କ ବଡ଼ ଭଉଣୀ, ଭିଣୋଇ, ପୁତୁରା, ସାନ ଉଭଣୀ ସମସ୍ତଙ୍କ ଜୀବନ ଯାଇଛି । ସୋମବାର ସକାଳେ ଯେତେବେଳେ ମୃତକଙ୍କ ଶବ ପହଞ୍ଚିଥିଲା, ସେତେବେଳେ ଗାଁର ଶୋକାକୂଳ ପରିବେଶକୁ ବର୍ଣ୍ଣନା କରିହେବ ନାହିଁ । ନେତାଙ୍କ ଠାରୁ ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାକୁ କେହି ବିଶ୍ୱାସ କରିପାରୁନଥିବା ବେଳେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ବସ୍ ଦୁର୍ଘଟଣାର ସମସ୍ତ ମୃତକ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସଂପର୍କୀୟ ବୋଲି ଜଣାପଡିଛି ।

  • ମିନିବସର ଫିଟନେସକୁ ନେଇ ଉଠିଲା ପ୍ରଶ୍ନ
  • ଧରାପଡ଼ିଲେ ଓଏସଆରଟିସି ଡ୍ରାଇଭର

ଦୁର୍ଘଟଣାଗ୍ରସ୍ତ ମିନି ବସର ପରମିଟ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୨୫ ବର୍ଷର ପୁରୁଣା ଗାଡି ହୋଇଥିବାରୁ ଧକ୍କା ପରେ ଆକ୍ସିଲ ଭାଙ୍ଗିଯାଇଥିଲା । ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି ଗାଡିର ଫିଟନେସ୍ । ବସ ମାଲିକଙ୍କ ଖାମଖିଆଲ ନୀତି ଯୋଗୁ ନିରୀହଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି ।