କିଡନୀ ରୋଗରେ ପୀଡିତ ସୁନ୍ଦରଗଡର ଆରିଫ ଫାତିମା । କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ

216

କନକ ବ୍ୟୁରୋ : ଆଖିରେ ଆଖିଏ ସ୍ୱପ୍ନ । ଡାକ୍ତର ହୋଇ କିଡନୀ ରୋଗୀଙ୍କ ଚିକିତ୍ସା କରିବାକୁ ଇଛା । ହେଲେ କିଡନୀ ରୋଗ ଯୋଗୁଁ କୁନି ଝିଅର ଜୀବନ ପାଲଟି ଯାଇଛି ଯନ୍ତ୍ରଣା । ରୋଗ ପାଇଁ ପାଠ ପଢିବା, ଖେଳିବା, ଖାଇବା ଓ ବୁଲାବୁଲି କରିବା, ସବୁଥିରେ କଟକଣା ଲାଗିଯାଇଛି । ଏବେ ଜୀବନ କହିଲେ, କେବଳ ଡାକ୍ତରଖାନା ଓ ଔଷଧରେ ସୀମିତ ହୋଇଯାଏ । ଆମେ କହୁଛୁ, ସୁନ୍ଦରଗଡର କୁନି ଝିଅ ଆରିଫା ଫାତିମାଙ୍କ ଯନ୍ତ୍ରଣାପୂର୍ଣ୍ଣ ଜୀବନର କଥା ।

୨ ବର୍ଷ ହେଲା କିଡନୀ ରୋଗ ସହ ଯୁଦ୍ଧ କରୁଛି କୁନି ଝିଅ । ଆରିଫାର ଦୁଇଟି ଯାକ କିଡନୀ ଖରାପ ହୋଇସାରିଛି । ଝିଅ ଚିକିତ୍ସା କ୍ଷେତ୍ରରେ ନିଜର ସବୁ ସଂଚିତ ପୁଂଜି ସାରିବା ପରେ ଏବେ ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲେସିସ କରାଉଛନ୍ତି । ଡାକ୍ତର କହୁଛନ୍ତି ଶୀଘ୍ର କିଡନୀ ପ୍ରତ୍ୟାରୋପଣ କରିବା ପାଇଁ । ମାଆ ମଧ୍ୟ ଝିଅକୁ କିଡନୀ ଦେବାକୁ ପ୍ରସ୍ତୁତ ଅଛନ୍ତି, ହେଲେ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ୧୨ରୁ ୧୪ ଲକ୍ଷ ଟଙ୍କା ବାପା ମାଆଙ୍କ ପାଖରେ ନାହିଁ । ତେଣୁ କୁନି ଝିଅର ଚିକିତ୍ସା ଅଟକି ଯାଇଛି । ସରକାରୀ ସ୍ତରରେ ହେଉ ବା ବେସରକାରୀ ସୂତ୍ରରୁ ସହେଯାଗର ହାତ ବଢିଲେ ଶିଘ୍ର ଝିଅର କିଡନୀ ପ୍ରତ୍ୟାରୋପଣ ହୋଇପାରନ୍ତା ବୋଲି ବାପା ମାଆ ନିବେଦନ କରିଛନ୍ତି ।

ଫତିମା ଭଲ ପାଠ ପଢିବା ସହ ଭଲ ନାଚେ । ଗୋଡରେ ଘୁଙ୍ଗୁର ବାନ୍ଧି ନାଚିବାକୁ ସେ ବେଶ ପସନ୍ଦ କରେ । କଥକ ନୃତ୍ୟ ଶିଖିବା ପାଇଁ ଡ୍ରେସ ବି ତିଆରି କରିଛି, କିନ୍ତୁ ଦେହ ଖରାପ ହେବା ପର ଠାରୁ ସେ ଡ୍ରେସ ଆଟାଚିରେ ରଖାଯାଇଛି । ଯେବେ ନାଚିବାକୁ ଇଚ୍ଛା ହୁଏ ସେବେ ଡ୍ରେସ କାଢି ଦେଖି ଦେଉଛି । ଆଉ ଆଶା ରଖିଛି, ଦନେ ଭଲ ହୋଇ ଡାକ୍ତର ହେବା ସହ ତାର ସବୁ ଇଛା ପୁରଣ କରିବ ।