ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ବନ୍ୟାରେ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ

298

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୫ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମୋଟ ୧୫ଟି ଜିଲ୍ଲାର ୯୦ଟି ବ୍ଲକ ଅଧୀନର ଆସୁଥିବା ୭୬୨ଟି ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହି ଗାଁଗୁଡ଼ିକରେ ୧ ଲକ୍ଷ ୨୦ ହଜାର ଲୋକ ବନ୍ୟାର ସମ୍ମୁଖନୀ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ମୋଟ ୬୮୩୪ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲୋକଙ୍କୁ ସୁଖିଲା, ରନ୍ଧାଖାଦ୍ୟ ଓ ପାଣି ମାଗଣାରେ ଦିଆଯାଇଛି। ୧୩୬ଟି ସ୍ଥାନରେ ରୋଷେଇ ବ୍ୟବସ୍ଥା କରାଯାଇଥିଲା। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏସଆରସି ପକ୍ଷରୁ କୁହାଯାଇଛି ଯେ, ବୈତରଣୀରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମହାନଦୀରେ ଏହା ବଢ଼ିବାରେ ଲାଗିଛି। ଗୁରୁବାର ସନ୍ଧ୍ୟା ୫ଟାରେ ମହାନଦୀର ଖଇରମାଳ ଠାରେ ୪.୭୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ବରମୂଳ ଠାରେ ୭.୮୬ ଲକ୍ଷ ଓ ମୁଣ୍ଡଳି ଠାରେ ୯.୧୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ଅପରାହ୍‌ଣ ୪ଟା ପରଠାରୁ ଜଳସ୍ତର ସମନ୍ତରାଳ ଭାବେ ବହି ଚାଲିଛି।

ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ନରାଜ ଠାରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ବୈତରଣୀରେ ବନ୍ୟା ପରିସ୍ଥିତି ସୁଧୁରୁଛି। ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଏଥି ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହିପରି ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀର ମଠାନୀରେ ଜଳସ୍ତର ବିପଦ ସ୍ତର ଦେଇ ଯାଉଥିଲା, ଯାହାକି ଏବେ ହ୍ରାସ ପାଇବାରେ ଲାଗିଛି।