ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ଟଙ୍କାର ପାହାଡ : ୧୮ ଘଣ୍ଟାର ରେଡ୍ ପରେ ମିଳିଲା ନଗଦ ୨୯ କୋଟି, ରାତି ସାରା ଟଙ୍କା ଗଣିଲେ ଅଧିକାରୀ

347

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ବୁଧବାର ପୁଣି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଫ୍ଲାଟରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ରେଡ୍ ବେଳେ ନଗଦ ୨୯ କୋଟିରୁ ଅଧିକ ଟଙ୍କା  ଏବଂ ୫ କିଲୋ ସୁନା ଜବତ ହୋଇଛି । ପାଖାପାଖି ୧୮ ଘଣ୍ଟାର ରେଡ୍ ପରେ ଟଙ୍କା ଓ ସୁନା ଜବତ କରିଛି ଇଡି । ରାତି ସାରା ଟଙ୍କା ଗଣିଥିଲେ ଅଧିକାରୀ । ଶେଷରେ ଏତେ ଟଙ୍କା ନେବା ପାଇଁ ଟ୍ରକ୍ ମଗାଯାଇଥିଲା ।

୧୦ଟି ଟ୍ରଙ୍କରେ ଅଧିକାରୀମାନେ ଟଙ୍କା ନେଇଥିଲେ । ଦୁଇ ଦିନ ତଳେ ୨୦ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁଣି ତାଙ୍କ ଘରୁ କୋଟି କୋଟି ନଗଦ ଟଙ୍କା ଠାବ ହେବା ଅଧିକାରୀଙ୍କୁ ତାଜୁବ କରିଛି । ଏପର୍ଯ୍ୟନ୍ତ ନଗଦ ପାଖାପାଖି ୫୦ କୋଟି ଟଙ୍କା ଜବତ ହୋଇ ସାରିଲାଣି । ପଶ୍ଚିମବଙ୍ଗ ବେଲଘରିଆ ରଥତଳାରେ ଥିବା ଯେଉଁ ଫ୍ଲାଟରେ ଇଡି ରେଡ୍ କରିଛି ତାହା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ପିତା ଚାଟାର୍ଜୀଙ୍କ ନାଁରେ ରହିଛି । ଗତ ଶନିବାର ଦିନ ଟଲିଗଂଜ ସ୍ଥିତ ଫ୍ଲାଟରୁ ୨୧ କୋଟି ୯୦ ଲକ୍ଷ ଟଙ୍କା ସହ ୭୬ ଲକ୍ଷ ଟଙ୍କାର ସୁନା ଗହଣା ଓ ବୈଦେଶିକ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା ।

ଉଭୟ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କୁ ଗିରଫ କରି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି । ଜବତ ହୋଇଥିବା ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ପଚରାଉଚରା ବେଳେ ଅର୍ପିତା କହିଥିବା ସୂଚନା ମିଳିଛି । ଏପଟେ ଟିଏମସି ନେତା ମମତା ବାନାର୍ଜୀ ଆଜି କ୍ୟାବିନେଟ୍ ବୈଠକ ଡକାଥିବା ସୂଚନା ମିଳିଛି । ହୁଏତ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିପାରନ୍ତି ମମତା ।